ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ୩୫ ବର୍ଷ ମଧ୍ୟରେ ସର୍ବାଧିକ ମତଦାନ ହୋଇଛି। ୨୦୧୯ ତୁଳନାରେ ଏଥର ଅଧିକ ୩୦ ପ୍ରତିଶତ ଭୋଟ ଦେଇଥିବା ଜଣାପଡ଼ିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର ପ୍ରାର୍ଥୀଙ୍କ ସଂଖ୍ୟା ୨୫ ପ୍ରତିଶତ ବଢ଼ିଛି। ଅଧିକ ସଂଖ୍ୟାରେ ଲୋକେ ନିର୍ବାଚନରେ ସକ୍ରିୟ ଭାବେ ଭାଗ ନେଉଥିବାରୁ ଏହା ଏକ ବଡ଼ ସଫଳତା ଏବଂ ଖୁବ୍ଶୀଘ୍ର ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ଜମ୍ମୁ-କଶ୍ମୀରର ୫ ଲୋକ ସଭା ଆସନରେ ମତଦାନ ହାର ୫୮.୪୬ ପ୍ରତିଶତ ରହିଛି। କଶ୍ମୀର ଉପତ୍ୟକାର ୩ ଆସନରେ ହାରାହାରି ମତଦାନ ହାର ୫୦.୮୬ ପ୍ରତିଶତ ହୋଇଛି। ୨୦୧୯ରେ ଏହିସବୁ ଆସନରେ ମତଦାନ ହାର ମାତ୍ର ୧୯.୧୬ ପ୍ରତିଶତ ଥିଲା ବୋଲି ସିଇସି କହିଛନ୍ତି। ଅନ୍ୟ ୨ଟି ଆସନ ଉଧାମପୁର ଏବଂ ଜମ୍ମୁରେ ମତଦାନ ହାର ଯଥାକ୍ରମେ ୬୮.୨୭ ଏବଂ ୭୨.୨୨ ପ୍ରତିଶତ ରହିଥିବା ସିଇସି କହିଛନ୍ତି।