ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ସଦର ବ୍ଲକ କମିଟି, ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ, ଜାତୀୟ ଡାକ କର୍ମଚାରୀ ସଂଘର ତୃତୀୟ ଶ୍ରେଣୀ କର୍ମଚାରୀ, ଜାତୀୟ ଅତିରିକ୍ତ ଡାକ କର୍ମଚାରୀ, ଅଖିଳ ଭାରତୀୟ ଅତିରିକ୍ତ ଡାକ କର୍ମଚାରୀ ସଂଘ, ପୋଷ୍ଟମ୍ୟାନ ଏବଂ ଏନ୍‌ପିଏସ୍‌ କର୍ମଚାରୀଙ୍କ ପକ୍ଷରୁ ଧର୍ମଘଟ ଅନୁଷ୍ଠିତ ହୋଇଥିଲା। ସେହିପରି ସଂଯୁକ୍ତ କିଷାନ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ସଦର ଥାନାର ପଞ୍ଚୁପଟିଠାରେ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇ ଧର୍ମଘଟ କରାଯାଇଥିଲା। ଫଳରେ ଜାତୀୟ ରାଜପଥର ଉଭୟପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ନିଖିଳ ଓଡ଼ିଶା ଅଙ୍ଗନଓ୍ବାଡ଼ି କର୍ମୀ ସଂଘ ଢେଙ୍କାନାଳ ସଦର ବ୍ଲକ କମିଟି ପକ୍ଷରୁ ବହୁ ସଂଖ୍ୟାରେ ଅଙ୍ଗନଓ୍ବାଡ଼ି କର୍ମୀ, ମଧ୍ୟାହ୍ନ ଭୋଜନ ପାଚିକା, ନିର୍ମାଣ ଶ୍ରମିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଆଇଟିୟୁସି ଜିଲା ସଭାପତି ଜମେଶ୍ୱର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ରାଜ୍ୟ ଉପସଭାପତି ହରପ୍ରିୟା ସ୍ବାଇଁ, ଜିଲା ସମ୍ପାଦକ ନାରାୟଣ ନାୟକ, ଜିଲା ଉପସଭାପତି ରବି ରଥ, ନିଖିଳ ଓଡ଼ିଶା ଅଙ୍ଗନଓ୍ବାଡ଼ି କର୍ମୀ ସଂଘ ସଭାନେତ୍ରୀ, ସମ୍ପାଦିକା ଭାରତୀ ନାୟକ, ପୂର୍ଣ୍ଣିମା ତ୍ରିପାଠୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଢେଙ୍କାନାଳ ପ୍ରଧାନ ଡାକଘର ସମ୍ମୁଖରେ ତୃତୀୟ ଶ୍ରେଣୀ ଜାତୀୟ ଡାକ କର୍ମଚାରୀ ସଂଘ ସମ୍ପାଦକ ଅଶୋକ କୁମାର ନନ୍ଦ, ତୃତୀୟ ଶ୍ରେଣୀ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ସଭାପତି ଚନ୍ଦ୍ରଶେଖର ସିଂହ, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ, ସମ୍ପାଦକ ଅଭିଳାଷ ମହାପାତ୍ର, ଜାତୀୟ ପୋଷ୍ଟମ୍ୟାନ ଏମ୍‌ପିଏସ୍‌ ସଂଘ ସମ୍ପାଦିକା ପ୍ରେମଲତା ସେଠୀ ପ୍ରମୁଖଙ୍କ ସମେତ ଗ୍ରାମୀଣ ଡାକ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସେହିପରି ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦାଣ୍ଡିମାଳ ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥର ତୁରନ୍ତ ମରାମତି, ଉକ୍ତ ବାଟଦେଇ ବସ ଚଳାଚଳ କରିବା, କୃଷିଋଣ ଛାଡ କରିବା, ବୀମାରାଶି ତୁରନ୍ତ ପ୍ରଦାନ କରିବା ଆଦି ଦାବି କରାଯାଇଥିଲା।

Share