୬ମାସରେ ଧସିଲା ରାଜପଥ ଗାର୍ଡୱାଲ

ଦାରିଙ୍ଗବାଡି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡୱାଲ ଧସି ଯାଇଛି। ଅତି ନିମ୍ମ ମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡୱାଲ ଭୁଶୁଡି ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହା ଦେଖିବାକୁ ମିଳିଛି ଶ୍ରାନିକେତା ଘାଟିର ଇକୋ ରିଟ୍ରିଟ ନିକଟରେ। ପୂର୍ବରୁ ଉକ୍ତ ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ପାଇନ ଗଛଗୁଡିକ ଉପୁଡି ପଡି ଯାତାୟାତ ସମସ୍ୟା ଦେଖାଯାଇଥିଲା। ଏବେ ଗାର୍ଡୱାଲ ଭୁଶୁଡ଼ି ପଡ଼ିବା ଯୋଗୁ ସେହି ରାଜପଥ ଦେଇ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି। ଉକ୍ତ ରାଜପଥ ବାଲିଗୁଡାଠାରୁ ଦାରିଙ୍ଗବାଡିକୁ ସମ୍ପ୍ରସାରଣ କରାଯାଇଛି। ତେବେ ରାସ୍ତାକଡ଼ରେ କେଉଁଠି ଡ୍ରେନେଜ୍‌ ବ୍ୟବସ୍ଥା ନିମ୍ନ ମାନର ଯୋଗୁ ରାସ୍ତାରେ ପାଣି ଜମା ହୋଇ ରହୁଛି। ଆଉ କେଉଁଠି ପେଭର ବ୍ଲକ ଠିକ୍‌ ଭାବେ ପକାଯାଇ ନ ଥିବାରୁ ଜଳ ଜାମ ହୋଇ ନଷ୍ଟ ହେଉଛି। ସେହିପରି ରାଜପଥ କଡ଼ରେ ସୋଲାର ଷ୍ଟ୍ରିଟ ଆଲୁଅ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ସେଗୁଡିକ ଅଧାରୁ ଊର୍ଦ୍ଧ୍ୱ ଅଚଳ ହୋଇପଡିଛି। ସେହିପରି ସିଗ୍‌ନାଲ ପାଇଁ ଲାଲ ଆଲୁଅ ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ଚୋରି ଯିବା ସହ ସୂଚନା ଫଳକଗୁଡିକ ନଷ୍ଟ ହୋଇଗଲାଣି। ତେବେ ଜାତୀୟରାଜପଥ ବିଭାଗରେ ଏବେ ସ୍ଥାୟୀ ବିଭାଗୀୟ ଅଧିକାରୀ ନ ଥିବାରୁ ଏହାର ମରାମତି କିମ୍ବା କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି।