Categories: ଜାତୀୟ

‘ବିକିନି ହେଉ କି ହିଜାବ, ମହିଳାମାନେ ନିଜ ଇଚ୍ଛା ଅନୁସାରେ କପଡ଼ା ପିନ୍ଧିବାର ରହିଛି ଅଧିକାର’

ନୂଆଦିଲ୍ଲୀ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦକୁ ଚର୍ଚ୍ଚା ଜୋର ଧରିଛି। ହିଜାବ ପିନ୍ଧିଥିବାରୁ ମୁସଲମାନ ଝିଅମାନଙ୍କୁ କଲେଜ କ୍ୟାମ୍ପସ କିମ୍ବା କ୍ଲାସରେ ବସିବାକୁ ଅନୁମତି ମିଳୁନାହିଁ। ହିଜାବକୁ ବିରୋଧ କରି କିଛି ଶିକ୍ଷାର୍ଥୀ ଗେରୁଆ ସ୍କାର୍ଭ ମଧ୍ୟ ପିନ୍ଧି କଲେଜ ଆସୁଛନ୍ତି। ଦୁଇ ଦିନ ହେଲା ଏହାକୁ ନେଇ ବିବାଦ ଲାଗି ରହିଥିବାରୁ କର୍ନାଟକ ସରକାର ସମସ୍ତ ସ୍କୁଲକୁ ୩ ଦିନ ପାଇଁ ବନ୍ଦ ମଧ୍ୟ ଘୋଷଣା କରିଛନ୍ତି। ଏସବୁ ଭିତରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ମହିଳାମାନେ ନିଜ ଇଚ୍ଛା ଅନୁସାରେ କପଡ଼ା ପିନ୍ଧିବାର ଅଧିକାର ରହିଛି। ବିକିନି, ଓଢଣା ଜିନ୍ସ ହେଉ କି ହିଜାବ ମହିଳାମାନେ ସେମାନଙ୍କ ଇଚ୍ଛା ଅନୁସାରେ ପିନ୍ଧିବେ। ଏହି ଅଧିକାର ତାଙ୍କୁ ଭାରତୀୟ ସମ୍ଭିଧାନରୁ ମିଳିଛି।

ସୂଚନାଯୋଗ୍ୟ, କର୍ନାଟକରେ ହିଜାବକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗୀନ ହେଉଛି। ଗୋଟିଏ ଗୋଷ୍ଠୀ ହିଜାବ ପିନ୍ଧି କଲେଜ ଆସିବାକୁ ଜିଦ ଧରିଥିବା ବେଳେ ଅନ୍ୟ ଏକ ଗୋଷ୍ଟୀର ଛାତ୍ରୀଛାତ୍ରମାନେ ଗେରୁଆ ସ୍କାର୍ପ ପନ୍ଧି ଆସିବାକୁ ଦାବି କରିଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ କର୍ନାଟକର ପିୟୁ ସରକାରୀ ମହିଳା ମହାବିଦ୍ୟାଳୟରେ ହିଜାବ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଠି ୬ ଜଣ ଛାତ୍ରୀ ହିଜାବ ପକାଇ ଆସିଥିବା ବେଳେ ସେମାନଙ୍କୁ କ୍ଲାସ ରୁମରେ ପ୍ରତିବନ୍ଧକ ଲାଗାଯାଇଥିଲା। କଲେଜ ହିଜାବ ପ୍ରତିବନ୍ଧକକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହାର ଶୁଣାଣି ହୋଇଥିଲା। କୋର୍ଟରେ ସରକାରଙ୍କ ଆଡଭୋକେଟ ଜେନେରାଲ ଏବଂ ହିଜାବ ପିନ୍ଧି ସ୍କୁଲ-କଲେଜରେ ଆଡମିଶନ ଚାହୁଁଥିବା ଛାତ୍ରୀଙ୍କ ଆଡଭୋକେଟଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ। ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଆଜିର ଶୁଣାଣି ଶେଷ କରିଛନ୍ତି ଏବଂ ଆଜି ଅପରାହ୍ନ ୨.୩୦ରେ ମାମଲାର ପୁଣି ଶୁଣାଣି ହେବ ବୋଲି କହିଛନ୍ତି।
ହିଜାବ ବିବାଦ ମଧ୍ୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ତିନି ଦିନ ପାଇଁ ରାଜ୍ୟର ସମସ୍ତ ହାଇସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ବୋମ୍ମାଇ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଆମେ କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ମୁଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଛାତ୍ରୀଛାତ୍ରମାନଙ୍କୁ ନିବେଦନ କରୁଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ କୌଣସି ସଂଘର୍ଷ ନ ହେବା ଉଚିତ ବୋଲି ମୁଁ ବିଦ୍ୟାଳୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।

Share