Categories: ଜାତୀୟ

ହୋଲି ପରେ ସୁପ୍ରିମକୋର୍ଟରେ ହିଜାବ ଶୁଣାଣି

ନୂଆଦିଲ୍ଲୀ,୧୭।୩ (ପି.ଟି.): ହିଜାବ ବିବାଦ ଉପରେ କର୍ନାଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ଉକ୍ତ ପିଟିଶନକୁ ଶୁଣାଣି ପାଇଁ ବୁଧବାର ଗ୍ରହଣ କରିଛନ୍ତି। ହୋଲି ଛୁଟି ପରେ ଉକ୍ତ ପିଟିଶନର ଶୁଣାଣି କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବା ଲାଗି ଅନୁମତି ଦେବା ନିମନ୍ତେ ହୋଇଥିବା ଆବେଦନଗୁଡ଼ିକୁ ମଙ୍ଗଳବାର କର୍ନାଟକ ହାଇକୋର୍ଟ ଖାରଜ କରିଦେଇଥିଲେ। ହିଜାବ ପିନ୍ଧିବା ଇସ୍‌ଲାମରେ ଜରୁରୀ ଧର୍ମୀୟ ପ୍ରଥା ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ କହିଥିଲେ। ଛାତ୍ରୀମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଆଗାମୀ ପରୀକ୍ଷାକୁ ଦୃଷ୍ଟିରେ ରଖି ଜରୁରୀ ଶୁଣାଣିର ଆବଶ୍ୟକତା ଥିବା ହେଗ୍‌ଡେ ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଖଣ୍ଡପୀଠଙ୍କୁ କହିଥିଲେ। ହୋଲି ଛୁଟି ପରେ ଶୁଣାଣି ପାଇଁ ଉକ୍ତ ପିଟିଶନକୁ ତାଲିକାଭୁକ୍ତ କରାଯିବ ବୋଲି ସିଜେଆଇ କହିଛନ୍ତି।

Share