Categories: ଜାତୀୟ

କର୍ନାଟକରେ ସଦ୍‌ଭାବନା ବ୍ୟାହତ କରୁଥିବା ପୋଷାକ ନିଷେଧ

ବେଙ୍ଗାଲୁରୁ,୬।୨: କଲେଜରେ ହିଜାବ ବିବାଦ ପରେ ସଂହତି, ସଦ୍‌ଭାବନା ଓ ସାଧାରଣ ଶୃଙ୍ଖଳା ବ୍ୟାହତ କରୁଥିବା ପୋଷାକକୁ କର୍ନାଟକ ସରକାର ଶନିବାର ନିଷେଧ କରିଛନ୍ତି। ହିଜାବ ନିୟମ ବିରୋଧରେ ଉଡ଼ୁପି କଲେଜର ୫ ଛାତ୍ରୀଙ୍କ ଆବେଦନ ଉପରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିବେ। ସୂଚନାଯୋଗ୍ୟ, ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ଉଡୁପି ଏବଂ କୁନ୍ଦପୁରର ସରକାରୀ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ମୁସଲମାନ ଛାତ୍ରୀମାନେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଡ୍ରେସ୍‌ କୋଡ୍‌କୁ ସମସ୍ତ ସରକାରୀ ସ୍କୁଲ୍‌ ମାନିବାକୁ ଶିକ୍ଷା ବିଭାଗ ଶନିବାର ନିର୍ଦ୍ଦେଶ ଦେଇଛି। ସେହିପରି ଘରୋଇ ଶିକ୍ଷାନୁଷ୍ଠାନରେ ଏହାର ପରିଚାଳନା କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ପୋଷାକ ପିନ୍ଧିବାକୁ ହେବ। ଯେଉଁ ପୋଷାକ ସମାନତା, ସଂହତି ଓ ଶୃଙ୍ଖଳା ବ୍ୟାହତ କରୁଛି ତାହା ଶିକ୍ଷାନୁଷ୍ଠାନରେ ପିନ୍ଧିବା ନିଷେଧ ବୋଲି ସରକାର କହିଛନ୍ତି।
କଲେଜ ଛାତ୍ରୀଙ୍କ ହିଜାବ ପରିଧାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମର୍ଥନ କରଥିଲେ। ଶିକ୍ଷା ମାର୍ଗରେ ହିଜାବକୁ ପ୍ରତିବନ୍ଧକ ଭାବେ ଛିଡ଼ା କରାଇ ଝିଅମାନଙ୍କ ଭବିଷ୍ୟତକୁ ଅପହରଣ କରାଯାଉଥିବା ସେ ଅଭିଯୋଗ କରିଥିଲେ। ଦେବୀ ସରସ୍ବତୀ ପାର୍ଥକ୍ୟ ଦେଖି ନ ଥାନ୍ତି, ସେ ସମସ୍ତଙ୍କୁ ଜ୍ଞାନ ଦେଇଥାନ୍ତି ବୋଲି ରାହୁଲ କହିଥିଲେ।

Share