ନୂଆଦିଲ୍ଲୀ,୨୧ା୯: ୨୦୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରୀ ହିଜାବ ପରିଧାନ କରୁ ନ ଥିଲେ। ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଦ୍ୱାରା ହିଜାବକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦ ଆରମ୍ଭ ହୋଇଥିବା କର୍ନାଟକ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ହିଜାବ ପିନ୍ଧିବା ଛାତ୍ରୀମାନଙ୍କ ସ୍ବତଃସ୍ଫୂର୍ତ୍ତ କାର୍ଯ୍ୟ ନୁହେଁ। ଧର୍ମୀୟ ବିବାଦ ସୃଷ୍ଟି କରିବା ଲାଗି ଏଭଳି ଏକ ଆନ୍ଦୋଳନ ପ୍ରସ୍ତୁତ ହୋଇଥିବା କର୍ନାଟକ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି। କର୍ନାଟକ ସରକାର ଶିକ୍ଷାନୁଷ୍ଠାନକୁ ଧର୍ମନିରପେକ୍ଷ କରିବାକୁ ଯାଇ ହିଜାବ ପରିଧାନକୁ ନିଷେଧ କରିବା ସହ ହିନ୍ଦୁୁମାନଙ୍କ ଗୈରିକ ଉତ୍ତରୀୟକୁ ମଧ୍ୟ ଅନୁମତି ଦେଇ ନ ଥିବା ମେହେଟ୍ଟା ଅଦାଲତଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ମୁସ୍ଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ନ ମିଳିବାରୁ ଏହାକୁ ନେଇ ଆନ୍ଦୋଳନ ଦେଖାଦେଇଥିଲା। ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଏକାଧିକ ପିଟିଶନର ଶୁଣାଣି ସୁପ୍ରିମକୋର୍ଟରେ ୮ ଦିନ ହେଲା ଜାରି ରହିଛି।