Categories: ଜାତୀୟ

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ଫେରାଇଦେଲା ସ୍କୁଲ

ମାଡ଼ିକେରି,୧୪।୨: କର୍ନାଟକ କୋଡାଗୁ ଜିଲାର ଏକ ପବ୍ଲିକ୍‌ ସ୍କୁଲ୍‌କୁ ସୋମବାର ହିଜାବ ପିନ୍ଧି ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ। ଫଳରେ ସେମାନେ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ନ୍ୟାୟ ମିଳିବ ବୋଲି ଛାତ୍ରୀମାନଙ୍କ ମାଆବାପା ଆଶାବାଦୀ ଥିବାବେଳେ ଅଦାଲତଙ୍କ ଚୂଡ଼ାନ୍ତ ରାୟକୁ ଅପେକ୍ଷା କରିଛନ୍ତି। କୋଡାଗୁର ନେଲିହୁଦିକେରିରେ ମୁସଲମାନ ଜନସଂଖ୍ୟା ଅଧିକ। ହିଜାବ ବିବାଦକୁ ନେଇ ହିଂସାତ୍ମକ ସ୍ଥିତି ଉପୁଜିବା ପରେ କର୍ନାଟକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ସୋମବାର ସକାଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିଥିବାବେଳେ ବହୁସଂଖ୍ୟାରେ ପିଲା ଆସିଥିଲେ। ତେବେ କର୍ନାଟକ ପବ୍ଲିକ୍‌ ସ୍କୁଲ୍‌କୁ ଆସିଥିବା ୩୦ ଜଣ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା ଏବଂ ହିଜାବ ଖୋଲିବାକୁ କୁହାଯାଇଥିଲା। ସ୍କୁଲ୍‌ ଗେଟ୍‌ ନିକଟରେ ପ୍ରିନ୍ସିପାଲ ଏବଂ ପରିଚାଳନା କର୍ତ୍ତୃପକ୍ଷ ଉପସ୍ଥିତ ରହି ପିଲାମାନଙ୍କୁ ଅଟକାଇଥିଲେ ଏବଂ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ମାନିବା ପାଇଁ ଅନୁରୋଧ କରିଥିଲେ। ତେବେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ବିନା ହିଜାବରେ ଶ୍ରେଣୀରେ ବସିବେ ନାହଁି ବୋଲି କହି ଘରକୁ ଫେରିଯାଇଥିଲେ। ଫେରିଯାଇଥିବା ଛାତ୍ରୀମାନଙ୍କ ଅଭିଭାବକମାନେ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଧର୍ମୀୟ ମୁଖ୍ୟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଉକ୍ତ ସ୍କୁଲ୍‌ରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି।
ସେହିପରି ସିଦ୍ଦପୁରାର ଇକ୍‌ର ପବ୍ଲିକ୍‌ ସ୍କୁଲ୍‌ରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧି ପଢ଼ିବାକୁ ଅନୁମତି ଦିଆଯାଇଥିବା ଖବର ପାଇ ବିରାଜପେଟ୍‌ ତହସିଲ୍‌ଦାର ଯୋଗାନନ୍ଦ ଉକ୍ତ ସ୍କୁଲ୍‌କୁ ପରିଦର୍ଶନରେ ଯାଇଥିଲେ। ସେ ସ୍କୁଲ୍‌ ପରିଚାଳନା କର୍ତ୍ତୃପକ୍ଷ ପିଲାଙ୍କୁ ହିଜାବ ପିନ୍ଧିବା ପାଇଁ ଅନୁମତି ଦେବା ନିମନ୍ତେ ପ୍ରସ୍ତାବ ଗୃହୀତ କରାଇଥିବା ଜାଣିବା ପରେ ତହସିଲଦାର ଏହାର ନକଲ ମାଗିଛନ୍ତି।
କର୍ନାଟକରେ ହିଜାବକୁ ନେଇ ଗତ ମାସରୁ ବିବାଦ ଲାଗି ରହିଛି। ଉଡ଼ୁପି ଜିଲାର ଏକ ପ୍ରି-ୟୁନିଭର୍ସିଟି କଲେଜରେ ହିଜାବ ପିନ୍ଧିଥିବା କେତେଜଣ ଛାତ୍ରୀଙ୍କୁ କ୍ୟାମ୍ପସ୍‌ରେ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା। ପରେ ଅନ୍ୟ କଲେଜକୁ ମଧ୍ୟ ହିଜାବ ବିବାଦ ବ୍ୟାପିଥିଲା।

Share