Categories: ଖେଳ

ଏଚ୍‌ଆଇଏଲ୍‌ ମହିଳା ଖେଳାଳି ନିଲାମ: ଉଦିତା ସବୁଠାରୁ ଦାମି

ନୂଆଦିଲ୍ଲୀ, ୧୫ା୧୦: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ମହିଳା ଖେଳାଳି ନିଲାମ ମଙ୍ଗଳବାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଭାରତୀୟ ଡିଫେଣ୍ଡର ଉଦିତା ଦୁହାନ ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ ତାଙ୍କୁ ୩୨ ଲକ୍ଷ ଟଙ୍କା ବ୍ୟୟରେ କ୍ରୟ କରିଛି। ଦ୍ୱିତୀୟ ଦାମୀ ଖେଳାଳି ଡଚ୍‌ ଷ୍ଟାର ଡ୍ରାଗ୍‌ଫ୍ଲିକରଙ୍କୁ ଓଡ଼ିଶା ଓ୍ବାରିଅର୍ସ ୨୯ ଲକ୍ଷ ଟଙ୍କାରେ ନେଇଛି।

ଭାରତୀୟ ଖେଳାଳି ଲାଲରେମସିଆମି (ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ, ୨୫ ଲକ୍ଷ ଟଙ୍କା), ସୁନେଲିତା ଟପ୍ପୋ (ଦିଲ୍ଲୀ ଏସ୍‌ଜି ପାଇପର୍ସ, ୨୪ ଲକ୍ଷ) ଓ ସଙ୍ଗୀତା କୁମାରୀ (ଦିଲ୍ଲୀ ଏସ୍‌ଜି ପାଇପର୍ସ, ୨୨ ଲକ୍ଷ) ଫ୍ରାଞ୍ଚାଇଜଗୁଡ଼ିକୁ ଆକର୍ଷିତ କରିଥିଲେ। ମଙ୍ଗଳବାର ଦୃଷ୍ଟି ଆକର୍ଷଣ କରିଥିବା ବିଦେଶୀ ଖେଳାଳିଙ୍କ ମଧ୍ୟରେ ରହିଥିଲେ ବେଲଜିୟମର ଚାର୍ଲୋଟ ଇଙ୍ଗେଲବର୍ଟ (ସୁର୍‌ମା ହକି କ୍ଲବ,୧୬ ଲକ୍ଷ), ଜର୍ମାନୀର ଚାର୍ଲୋଟ ଷ୍ଟାପେନହର୍ଷ୍ଟ(ସୁର୍‌ମା ହକି କ୍ଲବ, ୧୬ ଲକ୍ଷ) ଓ ଅଷ୍ଟ୍ରେଲିଆର ଜୋସ୍‌ଲିନ ବାଟ୍ରାମ୍‌ (ଓଡ଼ିଶା ଓ୍ବାରିଅର୍ସ, ୧୫ ଲକ୍ଷ)। ଅନ୍ୟପକ୍ଷରେ ଭେଟେରାନ ଭାରତୀୟ ଷ୍ଟ୍ରାଇକର ବନ୍ଦନା କାଟାରିୟାଙ୍କୁ ୧୦.୫ ଲକ୍ଷରେ ନେଇଛି ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ।

ଭାରତ ଅଧିନାୟକ ସାଲିମା ଟେଟେ (୨୦ ଲକ୍ଷ), ଇଶିକା ଚୌଧାରୀ (୧୬ ଲକ୍ଷ) ଓ ନେହା ଗୋୟଲ (୧୦ ଲକ୍ଷ)ଙ୍କୁ ଓଡ଼ିଶା ଓ୍ବାରିଅର୍ସ କ୍ରୟ କରିଛି। ସେହିପରି ପୂର୍ବତନ ଭାରତୀୟ ଅଧିନାୟକ ସବିତା (୨୦ ଲକ୍ଷ), ଶର୍ମିଳା ଦେବୀ (୧୦ ଲକ୍ଷ) ଓ ନିକ୍କି ପ୍ରଧାନ (୧୨ ଲକ୍ଷ)ଙ୍କୁ ସୁର୍‌ମା ହକି କ୍ଲବ ଦଳରେ ନେଇଛନ୍ତି। ଦିଲ୍ଲୀ ଏସ୍‌ଜି ପାଇପର୍ସ ମଧ୍ୟ କେତେଜଣ ଭାରତୀୟ ଅନ୍ତର୍ଜାତୀୟ ଖେଳାଳିଙ୍କୁ କ୍ରୟ କରିଛି। ସେମାନେ ହେଲେ ନବନୀତ କୌର (୧୯ ଲକ୍ଷ), ଯୁବ ଗୋଲକିପର ବିଚୁ ଦେବୀ ଖରିବାମ୍‌ (୧୬ ଲକ୍ଷ) ଓ ଦୀପିକା (୨୦ ଲକ୍ଷ)। ପ୍ରଥମାର୍ଦ୍ଧ ନିଲାମିରେ ସମସ୍ତ ୪ ଫ୍ରାଞ୍ଚାଇଜ୍‌ ସେମାନଙ୍କ ରଣନୈତିକ ଦଳ ଗଠନ ପାଇଁ ଆବଶ୍ୟକ ଖେଲାଳିମାନଙ୍କୁ ନେଇଥିଲେ।

ଅପରପକ୍ଷରେ ବିକ୍ରି ହୋଇପାରି ନ ଥିବା ଭାରତୀୟ ସିନିୟର ଓ ଜୁନିୟର ମହିଳା ଖେଳାଳିମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ ବେସ୍‌ ପ୍ରାଇସ ୨ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଥିଲା। ଫଳରେ ମାଧୁରୀ କିଣ୍ଡୋ (ଓଡ଼ିଶା ଓ୍ବାରିଅର୍ସ,୩.୪୦ ଲକ୍ଷ), ଜ୍ୟୋତି ଛତ୍ରୀ (ଓଡ଼ିଶା ଓ୍ବାରିଅର୍ସ, ଦୀପିକା ସୋରେଙ୍ଗ (ସୁର୍‌ମା ହକି କ୍ଲବ, ୨.୨୦ ଲକ୍ଷ), ଋତୁରାଜ ଦାଦାସୋ ପିସାଲ (ଓଡ଼ିଶା ଓ୍ବାରିଅର୍ସ, ୪.୯୦ଲକ୍ଷ)ଙ୍କ ଭଳି ଖେଳାଳି ମହିଳା ଏଚ୍‌ଆଇଏଲ୍‌ର ପ୍ରଥମ ସଂସ୍କରଣରେ ସେମାନଙ୍କ ସ୍ଥାନ ସୁରକ୍ଷିତ କରିପାରିଛନ୍ତି।

Share