ହିଲିୟମ୍‌-୩

୧୯ ଡିସେମ୍ବର ୧୯୭୨ରେ ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା)ର ଆପୋଲୋ କାର୍ଯ୍ୟକ୍ରମରେ ଶେଷ ରକେଟ ଚନ୍ଦ୍ରକୁ ଯାଇଥିଲା। ପିଲାଦିନେ ଶୁଣିଥିଲୁ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଉଇନ ଆଲଡ୍ରିନ ଚନ୍ଦ୍ରରେ ଓହ୍ଲାଇବା ପରେ ମାଇକେଲ କଲିନ୍ସ ଉପର ଯାନରେ ରହି ସେମାନଙ୍କ ସହ ଯୋଗସୂତ୍ର ରକ୍ଷା କରିଥିଲେ। ଆପୋଲୋ ମିଶନର ୫୦ ବର୍ଷ ପରେ ଆମେରିକା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପୁନର୍ବାର ପ୍ରୟାସ କରୁଛି। ଅଗଷ୍ଟ ୨୯ରେ ନାସା ସବୁଠୁ ଶକ୍ତିଶାଳୀ ରକେଟ ଉତ୍‌କ୍ଷେପଣ ଯୋଜନା କରିଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାହା ବାତିଲ କରାଯାଇଛି। ଏହା ନାସାର ‘ଆର୍ଟେମିସ’ ମିଶନର ଅଂଶ। ଏଠାରେ ଆର୍ଟେମିସର କାହାଣୀ ଅବତାରଣା କରାଯାଇପାରେ। ହିନ୍ଦୁ ଧର୍ମରେ ବ୍ରହ୍ମାଙ୍କ ଭଳି ଜିୟୁସ ଥିଲେ ଗ୍ରୀକ୍‌ ପୁରାଣଶାସ୍ତ୍ରର ମୁଖ୍ୟ ଦେବତା। ତାଙ୍କର ଯାଆଁଳା ସନ୍ତାନ ହେଲେ ପୁଅ ଆପୋଲୋ ଏବଂ ଝିଅ ଆର୍ଟେମିସ। ଯେହେତୁ ଆମେରିକାର ପୂର୍ବ କାର୍ଯ୍ୟକ୍ରମର ନାମ ଥିଲା ଆପୋଲୋ, ସେଥିପାଇଁ ନୂତନ ଭାବେ ଆରମ୍ଭ ହୋଇଥିବା ମହାକାଶ କାର୍ଯ୍ୟକ୍ରମର ନାମ ଆର୍ଟେମିସ ଦିଆଯାଇଛି।
ଏହି ରକେଟର ପ୍ରଥମ ମିଶନ ମାନବରହିତ ହେବ। ସଫଳତା ମିଳିଲେ ମହାକାଶଚାରୀମାନେ ସେଥିରେ ଚନ୍ଦ୍ରପୃଷ୍ଠକୁ ଯିବେ। ମହାକାଶ ବିଜ୍ଞାନର ଇତିହାସକୁ ଦେଖିଲେ ୧୯୫୦ରୁ ୧୯୬୦ ଦଶନ୍ଧି ପ୍ରାରମ୍ଭ ଯାଏ ସେଥିରେ ସୋଭିଏଟ୍‌ ସଂଘ ସଫଳତା ପାଇବା ପରେ ଆମେରିକା ଆସିଲା। ୨୦ ଜୁଲାଇ ୧୯୬୯ରେ ଆମେରିକାର ଅପୋଲୋ-୧୧ ମହାକାଶ ଯାନରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ ଓ ସାଥୀମାନେ ଚନ୍ଦ୍ରପୃଷ୍ଠରେ ପ୍ରଥମେ ଓହ୍ଲାଇବାରେ ସକ୍ଷମ ହେଲେ। ଏହି ଐତିହାସିକ ଅଭିଯାନ ପରେ ଚନ୍ଦ୍ର ଅଭିଯାନ ଶିଥିଳ ପଡ଼ିଗଲା। ଆମେରିକୀୟମାନଙ୍କ ପାଇଁ ମହାକାଶ ଅଭିଯାନ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ସତ୍ତ୍ୱେ ଯେହେତୁ କୌଣସି ସ୍ପଷ୍ଟ ଲାଭ ମିଳିଲା ନାହିଁ, ସେଥିପାଇଁ ତାହା ମାନ୍ଦା ପଡ଼ିଗଲା। ତେବେ ଦୀର୍ଘ ୫୦ ବର୍ଷ ମଧ୍ୟରେ ଆମେରିକା ହେଉ କି ରୁଷିଆ ଆଉ ଚନ୍ଦ୍ରରେ ମଣିଷ ପହଞ୍ଚାଇବାକୁ ସକ୍ଷମ ହୋଇନାହାନ୍ତି। କିନ୍ତୁ ଏବେ ଆମେରିକା ପୁଣି ତାହା ହାସଲ କରିବାକୁ ଯୋଜନା କରୁଛି ଓ ଚନ୍ଦ୍ରରେ ଏକ ବେସ୍‌ ଚାହୁଁଛି। ରୁଷିଆ ସହ ପ୍ରତିଯୋଗିତା କରିବା ଆମେରିକାର ଯେତିକି ଲକ୍ଷ୍ୟ ନାହିଁ, ଚାଇନାର ମହାକାଶ କାର୍ଯ୍ୟକ୍ରମ ତା’ ନିଦ ହଜାଇ ଦେଇଛି। ବୃହତ୍‌ ଅର୍ଥ ବ୍ୟବସ୍ଥା ସହ ଚାଇନା ମହାକାଶ ଗବେଷଣାରେ ବହୁ ପାଦ ଆଗକୁ ଚାଲିଗଲାଣି। ଦକ୍ଷିଣ ଚାଇନା ସାଗରକୁ ଦାବି କଲା ଭଳି ବେଜିଂ ଚନ୍ଦ୍ରକୁ ଦଖଲ କରିବା ଲକ୍ଷ୍ୟରେ ଥିବା ଭଳି ମନେହେଉଛି। ଏହାକୁ ଲକ୍ଷ୍ୟକରି ଅଷ୍ଟ୍ରେଲିଆର ମହାକାଶ ନୀତି ବିଷାରଦ ମାଲକମ୍‌ ଡେଭିସ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଚାଇନା ସାଗରକୁ ଚାଇନା ଦାବି କରିବା ଭଳି ୨୦୩୦ସୁଦ୍ଧା ଚନ୍ଦ୍ରରେ ଚାଇନାର ଏକ କମ୍ପାନୀ ରହିଥିବ ଓ ସେ ଅଞ୍ଚଳକୁ ତା’ର ବୋଲି ଦାବି କରିବ। ଏବକାର ଅନ୍ତର୍ଜାତୀୟ ଦୃଶ୍ୟପଟକୁ ଦେଖିଲେ ଗୋଟିଏ ତରଫରେ ଚାଇନା ଓ ରୁଷିଆର ଅକୁହା ମେଣ୍ଟ ଏବଂ ଅନ୍ୟପଟେ ଚାଇନାର ମହାକାଶ କାର୍ଯ୍ୟକ୍ରମ ସମ୍ଭବତଃ ଆମେରିକାକୁ ବିବ୍ରତ କରାଇଛି। ପଥିବୀବ୍ୟାପୀ ଶକ୍ତି ସଙ୍କଟ ଯୋଗୁ ସବୁ ବୃହତ୍‌ ଦେଶ ନୂତନ ଉତ୍ସ ଖୋଜିବାରେ ବ୍ୟସ୍ତ। ଚନ୍ଦ୍ରରେ ହିଲିୟମ-୩ ଭଳି ଖଣିଜ ଦ୍ରବ୍ୟ ବହୁଳ ପରିମାଣରେ ଥିବାରୁ ତାହା ଆଣିବା ପାଇଁ ଚାଇନା ଓ ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଛି। ହିଲିୟମ-୩କୁ ଆଣବିକ ଶକ୍ତିର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ। ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ୫,୦୦୦ ଟନ୍‌ କୋଇଲାରୁ ଯେତିକି ଶକ୍ତି ମିଳିବ ପ୍ରାୟ ୩ ଚାମଚ ହିଲିୟମ-୩ ସେତିକି ଦେଇପାରିବ। ଏହା ବ୍ୟତୀତ ମନେହେଉଛି ଯେ, ଗତ ୫୦ ବର୍ଷ ଧରି ଉଭୟ ଆମେରିକାର ଆପୋଲୋ ଓ ସୋଭିଏଟ୍‌ ସଂଘର ସ୍ପୁଟ୍‌ନିକ କାର୍ଯ୍ୟକ୍ରମ ଶୋଇପଡ଼ିଥିବାବେଳେ, ଚାଇନା ନିଶ୍ଚତ ଭାବେ ଲୁକ୍କାୟିତ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଆସିଛି। ତାହାର ପରିଣାମ ଏବେ ଦେଖିବାକୁ ମିଳୁଛି। ପୂର୍ବରୁ ମହାକାଶ ଯାତ୍ରା ମଣିଷ ଜାତି ପାଇଁ ରୋମାଞ୍ଚକର ବିଷୟ ଥିଲା; ଯେଉଁଥିପାଇଁ ହୁଏତ ଉଭୟ ସ୍ଫୁଟ୍‌ନିକ ଓ ଆପୋଲୋ କାର୍ଯ୍ୟକ୍ରମର ଅତ୍ୟଧିକ ଖର୍ଚ୍ଚ ସେଗୁଡ଼ିକୁ ବନ୍ଦ କରାଇ ଦେଇଥିଲା। ଏବେ ପରିସ୍ଥିତି ବଦଳିଛି। ଶକ୍ତି ଆହରଣ ପାଇଁ ବ୍ୟବସାୟିକ ଦିଗ ଏବଂ ସେଥିରୁ ଲାଭକୁ ଦେଖି ପୁନର୍ବାର ଯେଉଁ ମହାକାଶ ଦୌଡ଼ ଆରମ୍ଭ ହେଲାଣି ତାହା ଭବିଷ୍ୟତରେ ଶାନ୍ତିପୂର୍ଣ୍ଣ ରହୁ ଏବଂ ହିଂସାମତ୍କ ନ ହେଉ ବୋଲି ସମସ୍ତେ ଆଶା କରିବା କଥା।