ନୂଆଦିଲ୍ଲୀ, ୨୫।୭ (ପି.ଟି.)-କୋଭିଡ୍-୧୯ ମହାମାରୀ ପାଇଁ ଭାରତୀୟ ମହିଳା ଦଳର ପ୍ରସ୍ତାବିତ ଇଂଲଣ୍ଡ ଟୁର୍ ବାତିଲ କରାଯିବାକୁ ନେଇ ଅଷ୍ଟ୍ରେଲିଆର ଟପ୍ କ୍ରିକେଟର ଏଲିସା ହିଲି ନୈରାଶ୍ୟ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା ଦଳ ମୂଳ କାର୍ଯ୍ୟସୂଚୀ ଅନୁସାରେ ଜୁନ୍ରେ ଇଂଲଣ୍ଡରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଥାନ୍ତା। ମାତ୍ର କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତାବର୍ଷ ପ୍ରଥମଭାଗରେ ବିଶ୍ୱକପ୍ ଦୃଷ୍ଟିରୁ ଏହି ଟୁର୍କୁ ବାତିଲ କରିବା ଦୁଃଖ ଦାୟକ ବୋଲି ହିଲି କହିଛନ୍ତି। ରିକ୍ ଇରେ ନାମକ ସିଡ୍ନୀର ଜଣେ କ୍ରିକେଟ ଲେଖକଙ୍କ ପୋଷ୍ଟ ଉପରେ ଟୁଇଟ୍ କରି ହିଲି ଏକଥା ପ୍ରକାଶ କରିଛନ୍ତି। ଆଇସିସି ମହିଳା ବିଶ୍ୱକପ୍ ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ଫେବୃୟାରୀ ୬ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ହିଲ କେବଳ ଅଷ୍ଟ୍ରେଲିଆର ଜେଣ ଟପ୍ ମହିଳା କ୍ରିକେଟ ନୁହନ୍ତି, ବିଶ୍ୱର ମଧ୍ୟ। ତେଣୁ ତାଙ୍କର ମନ୍ତବ୍ୟର ଗୁରୁତ୍ୱ ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଆୟୋଜନ ପାଇଁ ଯୋଜନା ଚଳାଇଥିବା ବେଳେ ମହିଳା ଦଳକୁ ଇଂଲଣ୍ଡ ଟୁର୍ ପଠାଇବା ଲାଗି କୁଣ୍ଠିତ ହେବା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଇରେ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ଟୁର୍ରେ ଯାଇଥିଲେ ବିଶ୍ୱକପ୍ ପ୍ରସ୍ତୁତି ଦିଗରେ ଏହା ବିଶେଷ ସହାୟକ ହୋଇପାରିଥାନ୍ତା ବୋଲି ସେ କହିଛନ୍ତି।