Categories: ଜାତୀୟ

ନିର୍ବାଚନ ତାରିଖ ଘୋଷଣା କଲେ ଇସି: ୧୨ରେ ମତଦାନ ୮ରେ ଫଳାଫଳ

ନୂଆଦିଲ୍ଲୀ,୧୪।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଶୁକ୍ରବାର ନିର୍ବାଚନ କମିଶନର ଏକ ଖବରଦାତା ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ମତଦାନ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ବାଚନୀ ଫଳାଫଳ ଡିସେମ୍ବର ୮ରେ ପ୍ରକାଶ ପାଇବ। ଅନ୍ୟପଟେ ଅକ୍ଟୋବର ୧୭ରେ ନିର୍ବାଚନ ସମ୍ପର୍କିତ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୫ରେ ନାମାଙ୍କନ ପତ୍ର ଦାଖଲ, ୨୭ରେ ଯାଞ୍ଚ ଏବଂ ୨୯ରେ ନାମାଙ୍କନ ପ୍ରତ୍ୟାହାର ନେଇ ତାରିଖ ଘୋଷଣା କରାଯାଇଛି। ଏନେଇ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ନିରପେକ୍ଷ ଅବାଧ ନିର୍ବାଚନ କରିବା ସହିତ ଭୋଟରମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି କମିଶନର କହିଛନ୍ତି। ବର୍ତ୍ତମାନ କରୋନା ସ୍ଥିତିକୁ ନେଇ ବଡ଼ ଚିନ୍ତା ନାହିଁ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସଚେତନତା ଅବଲମ୍ବନ କରାଯିବ। ସେହିପରି ୮୦ ବର୍ଷ ବୟସ୍କ, ଦିବ୍ୟାଙ୍ଗ, ଓ କରୋନା ଆକ୍ରାନ୍ତ ଯଦି ବୁଥ୍‌କୁ ଆସିପାରିବେ ନାହିଁ ତେବେ ତାଙ୍କ ଘରକୁ ଯାଇ ମତଦାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି।

Share