Categories: ଜାତୀୟ

ଦିଲ୍ଲୀ ମଡେଲର କପି: ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଶିମଲା,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ହେବା। ଏଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଘୋଷଣାମାନ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶୁକ୍ରବାର କେତେକ ଆକର୍ଷଣୀୟ ଯୋଜନା ଘୋଷଣା କରିଛନ୍ତି। ୧୨୫ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଲାଗି ରାଜ୍ୟର ଉପଭୋକ୍ତାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସେହିପରି ସରକାରୀ ବସ୍‌ରେ ମହିଳାମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଗ୍ରାମାଞ୍ଚଳରେ ପାଣି ବିଲ୍‌କୁ ମଧ୍ୟ ଛାଡ଼ କରାଯାଇଛି। ଚୋଗାନ୍‌ଠାରେ ୭୫ତମ ହିମାଚଳ ଦିବସ ସମାରୋହରେ ଅଧ୍ୟକ୍ଷତା କରି ଜୟରାମ ଉପରୋକ୍ତ ଘୋଷଣା କରିଛନ୍ତି। ଏଚ୍‌ଆର୍‌ଟିସି ବସ୍‌ରେ ମହିଳାମାନଙ୍କୁ ୫୦ ପ୍ରତିଶତ ରିହାତି ଦିଆଯିବ। ଏହାଦ୍ୱାରା ସେମାନଙ୍କର ୬୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ଜୁଲାଇ ୧ରୁ ୧୨୫ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବ୍ୟବହାର ଦେୟମୁକ୍ତ ହେବ। ଏହାଦ୍ୱାରା ୧୧.୫ ଲକ୍ଷ ଉପଭୋକ୍ତା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳରେ ମାଗଣାରେ ପାନୀୟ ଜଳ ଲୋକଙ୍କ ଘରେ ଯୋଗାଇ ଦିଆଯିବ। ଏହାଦ୍ୱାରା ଗ୍ରାମାଞ୍ଚଳ ପରିବାରଗୁଡ଼ିକ ୩୦ କୋଟି ଟଙ୍କାର ଆର୍ଥିକ ଲାଭ ପାଇପାରିବେ ବୋଲି ଜୟରାମ କହିଥିଲେ। ଏହା ବ୍ୟତୀତ ଚାମ୍ବା ସହରର ସୌନ୍ଦର୍ଯ୍ୟକରଣ ଓ ବିକାଶ ସହ ଟ୍ରାଫିକ୍‌ ସମସ୍ୟା ଦୂର କରାଯିବ। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ପୂର୍ଣ୍ଣ ସହଯୋଗ କରୁଛନ୍ତି। ହିମାଚଳପ୍ରଦେଶ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ବତନ୍ତ୍ର ସଂଯୋଗ ରହିଛି। ତାଙ୍କ ନେତୃତ୍ୱରେ ରାଜ୍ୟକୁ ହଜାର ହଜାର କୋଟିର ପ୍ରୋଜେକ୍ଟ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟପଟେ ଜୟରାମ ଠାକୁରଙ୍କ ଏହି ଯୋଜନାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଦିଲ୍ଲୀ ମଡେଲର କପି ବୋଲି କହିଛନ୍ତି।

Share