Categories: ଜାତୀୟ

ଚିନ୍ତା ବଢ଼ାଇଲାଣି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୮।୨:ଏକବିଂଶ ଶତାବ୍ଦୀ ଆରମ୍ଭରୁ ହିମାଳୟ ଅଞ୍ଚଳର ଗ୍ଲେସିୟର (ହିମବାହ) ଦୁଇଗୁଣା ଅଧିକ ବେଗରେ ତରଳୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ୨୦୧୯ରେ ପ୍ରକାଶିତ ସର୍ଭେ ଅନୁଯାୟୀ ଉତ୍ତାପ ବଢ଼ୁଥିବାରୁ ହିମବାହ ଶୀଘ୍ର ତରଳୁଛି। ପ୍ରତିବର୍ଷ ଦେଢ଼ଫୁଟ ଉଚ୍ଚର ବରଫ ତରଳୁଥିବାରୁ ଭାରତ ସମେତ ବିଭିନ୍ନ ଦେଶ ପାଇଁ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।
ଭାରତ, ଚାଇନା, ନେପାଳ, ଭୁଟାନର ୪୦ ବର୍ଷର ସାଟେଲାଇଟ୍‌ ପର୍ଯ୍ୟବେକ୍ଷଣକୁ ବିଶ୍ଳେଷଣ କରାଯାଇଥିଲା। ଜଳବାୟୁରେ ପରିବର୍ତ୍ତନ ଯୋଗୁ ହିମାଳୟର ଗ୍ଲେସିୟର ଦ୍ରୁତଗତିରେ ତରଳୁଥିବା ଗବେଷକମାନେ ଜାଣିବାକୁ ପାଇଥିଲେ। ୨୦୧୯ରେ ସାଇନ୍ସ ଆଡ୍‌ଭାନ୍‌ସେସ୍‌ରେ ଏହି ଅଧ୍ୟୟନ ପ୍ରକାଶ ପାଇଥିଲା। ଅଧ୍ୟୟନ ଅନୁଯାୟୀ ୧୯୭୫ରୁ ୨୦୦୦ ମଧ୍ୟରେ ଯେତିକି ବରଫ ତରଳିଥିଲା, ୨୦୦୦ ପରଠାରୁ ତା’ର ଦୁଇଗୁଣ ହାରରେ ତରଳିବାରେ ଲାଗିଛି। ଗତ ୪ ଦଶନ୍ଧି ମଧ୍ୟରେ ହିମାଳୟରେ ଗଚ୍ଛିତ ବରଫ ମଧ୍ୟରୁ ଏକ-ଚତୁର୍ଥାଂଶ ତରଳି ଥାଇପାରେ ବୋଲି ଅଧ୍ୟୟନର ମୁଖ୍ୟ କଲମ୍ବିଆ ୟୁନିଭର୍ସିଟିର ଜୋଶୁଆ ମୌରେର୍‌ କହିଛନ୍ତି। ୨୦୦୦ରୁ ୨୦୧୬ ମଧ୍ୟରେ ତାପମାତ୍ରା ୧୯୭୫ରୁ ୨୦୦୦ ମଧ୍ୟର ତାପମାତ୍ରାଠାରୁ ହାରାହାରି ୧ ଡିଗ୍ରୀ ସେଲ୍‌ସିିୟସ ବଢ଼ିଛି। ହିମାଳୟର ପଶ୍ଚିମରୁ ପୂର୍ବକୁ ୨୦୦୦ କିଲୋମିଟର ମଧ୍ୟରେ ୬୫୦ ଗ୍ଲେସିୟରର ସାଟେଲାଇଟ୍‌ ଚିତ୍ରକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଆମେରିକା ସ୍ପାଏ ସାଟେଲାଇଟ୍‌ରେ ଉତ୍ତୋଳନ ହୋଇଥିବା ଫଟୋଗୁଡ଼ିକ ସ୍ବତଃ ଥ୍ରି ଡାଇମେନଶନ୍‌ (୩ଡି) ମଡେଲରେ ପରିବର୍ତ୍ତନ ହୋଇପାରୁଥିବାରୁ ବିଭିନ୍ନ ସମୟରେ ଗ୍ଲେସିୟର ଉଚ୍ଚତାରେ ହେଉଥିବା ପରିବର୍ତ୍ତନ ଜଣାପଡ଼ିଥିଲା। ସେହି ଅନୁଯାୟୀ ୧୯୭୫ରୁ ୨୦୦୦ ମଧ୍ୟରେ ଉକ୍ତ ଅଞ୍ଚଳର ହିମବାହ ପ୍ରତିବର୍ଷ ହାରାହାରି ୦.୨୫ ମିଟର ତରଳିଥିଲା। ତେବେ ୯୦ ଦଶକରୁ ଉତ୍ତାପ ବଢ଼ିବାରୁ ବରଫ ତରଳିବା ବଢ଼ିଥିଲା। ୨୦୦୦ ପରେ ପ୍ରତିବର୍ଷ ଏହା ୦.୫ ମିଟରକୁ ବୃଦ୍ଧି ପାଇଥିଲା। ଏସୀୟ ଦେଶଗୁଡ଼ିକରେ ଅତ୍ୟଧିକ ଜୀବାଶ୍ମ ଓ ଜୈବ ଇନ୍ଧନ ପୋଡ଼ାଯାଉଥିବାରୁ ଉପରକୁ ଉଠୁଥିବା କଳାଧୂଆଁ ଓ କାର୍ବନ ଗ୍ଲେସିୟର ପୃଷ୍ଠରେ ଜମା ହେଉଛି। ଏହା ସୌରଶକ୍ତିକୁ ଗ୍ରହଣ କରୁଥିବାରୁ ବରଫ ତରଳିବା ବଢ଼ିଛି।

 

Share