ହିମାଂଶୁଙ୍କ କିଡ୍‌ନୀ ଠକେଇ ର଼୍ୟାକେଟ: ସହଯୋଗ କରୁଥିଲେ ଦୁଇ ବନ୍ଧୁ, ବାଜ୍ୟାପ୍ତ ହେବ ସମ୍ପତ୍ତି

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କିଡ୍‌ନୀ ନାଁରେ ବହୁ କୋଟି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଶନିବାର ପ୍ରଥମ ଦିନରେ ନୟାପଲ୍ଲୀ ପୋଲିସ ତାଙ୍କୁ ଘଣ୍ଟା ଘଣ୍ଟା ଧରି ମାରାଥନ ଜେରା କରିଥିଲା। ଜେରାରୁ ହିମାଂଶୁଙ୍କ ନିକଟରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ହିମାଂଶୁ ସାରା ରାଜ୍ୟରେ କିଡ୍‌ନୀ ଠକେଇ ଜାଲ ବିଛାଇଥିବା ପୋଲିସ ଜାଣିବାକୁ ପାଇଛି। ଦୁଇଜଣ ବନ୍ଧୁ ଏହି ଠକେଇରେ ତାଙ୍କୁ ସାହାଯ୍ୟ କରୁଥିବା ନେଇ ହିମାଂଶୁ କହିଛନ୍ତି। ତେବେ ତାଙ୍କ ସହ କେଉଁ ପ୍ରାଇଭେଟ୍‌ ହସ୍ପିଟାଲ ଓ ଡାକ୍ତରଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ। ଏଥିସହ ହିମାଂଶୁଙ୍କର କେଉଁ ଆକାଉଣ୍ଟରେ କେତେ ଟଙ୍କା ରହିଛି ଓ ତାଙ୍କର କେଉଁ କେଉଁ ଜାଗାରେ ସମ୍ପତ୍ତି ରହିଛି ତାହାର ସବୁକିଛି ଖୋଳତାଡ଼ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବ ବୋଲି ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ହିମାଂଶୁଙ୍କ ନାମରେ ଶନିବାର ଶହୀଦନଗର ଥାନାରେ ଆଉ ଏକ ଅଭିଯୋଗ ହୋଇଛି। କିଡ୍‌ନୀ ଯୋଗାଇଦେବାକୁ କହି କେନ୍ଦ୍ରାପଡ଼ା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନୀଙ୍କଠାରୁ ହିମାଂଶୁ ଓ ତାଙ୍କର ଜଣେ ସହଯୋଗୀ ସଞ୍ଜୟ ପଲେଇ ସାଢ଼େ ୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ତେବେ ହିମାଂଶୁ ନିଜକୁ ଅଙ୍ଗ ପ୍ରତ୍ୟାରୋପଣ ୟୁନିଟର ରିଜିଓନାଲ୍‌ କୋ-ଅର୍ଡିନେଟର୍‌ ପରିଚୟ ଦେଇ ୨୦୧୫ରେ ତାଙ୍କ ନିକଟରୁ ଏହି ଟଙ୍କା ଠକିନେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହାକୁ ମିଶାଇ ହିମାଂଶୁଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୪ ଅଭିଯୋଗ ହୋଇସାରିଲାଣି। ସେ ବହୁ କୋଟିର ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଥିବାବେଳେ ୪ ଜଣଙ୍କ ନିକଟରୁ ୩୫ଲକ୍ଷ ୭୧ହଜାର ଟଙ୍କା ଠକି ନେଇଛନ୍ତି।

ସୂଚନାଯୋଗ୍ୟ, ହିମାଂଶୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ମାର୍କେଟିଂ ବିଭାଗରେ ଚାକିରି କରୁଥିଲେ। ଏହି ସମୟରେ ସେ ହସ୍ପିଟାଲରେ କିଡ୍‌ନୀ ଆବଶ୍ୟକ ଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ପରେ ସେମାନଙ୍କୁ ଯୋଗାଯୋଗ କରି କିଡ୍‌ନୀ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ କରୁଥିଲେ। ନୟାପଲ୍ଲୀ ପୋଲିସ ହାତରେ ଗିରଫ ହେବା ପରେ ହିମାଂଶୁର କଳାକାରନାମା ସାମ୍ନାକୁ ଆସିଥିଲା।

Share