Categories: ଜାତୀୟ

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ,୧୦।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ଶପଥ ନେଇଛନ୍ତିି। ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ସୋମବାର ଦିନ ୧୨ଟାରେ ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ସମେତ ଅନ୍ୟ ବରିଷ୍ଠ ଭାଜପା ନେତା ଉପସ୍ଥିତ ଥିଲେ। ଶପଥ ନେବା ପୂର୍ବରୁ ହିମନ୍ତ ମା’ ଭଗବତୀଙ୍କ ଆଶୀର୍ବାଦ ନେଇଥିଲେ। ଭାଜପାର ଏକ ବୈଠକ ପରେ ହିମନ୍ତ ବିଶ୍ବଙ୍କ ନାମ ଶେଷରେ ମୋହର ବାଜିଥିଲା। ବିଧାନସଭା ପାର୍ଟିର ବୈଠକ ପରେ ଆସାମର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ହିମନ୍ତ ବିଶ୍ବ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ହିମନ୍ତ ବିଶ୍ବଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ହିମନ୍ତ ବିଶ୍ବ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।
ସୂଚନାଯୋଗ୍ୟ,୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ଭାଜପା ୬୦ଟି ସିଟ ଜିତିଥିବାବେଳେ ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ ୯ଟି ଏବଂ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ ୬ଟି ସିଟ ଜିତିଛି। ନିର୍ବାଚନ ପୂର୍ବରୁ ଭାଜପା ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନ ଥିଲା।

Share