Categories: ଜାତୀୟ

ଆସାମର ନୂଆ ମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ

ଗୁଆହାଟି,୯।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ନାମ ରବିବାର ଘୋଷଣା କରାଯାଇଛି। ଶନିବାରଠାରୁ ଭାଜପାର ଏକ ବୈଠକ ପରେ ଆଜି ହିମନ୍ତ ବିଶ୍ବଙ୍କ ନାମ ଶେଷରେ ମୋହର ବାଜିଛି। ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ବିଧାନସଭା ପାର୍ଟିର ବୈଠକ ପରେ ଆସାମର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଆସନ୍ତାକାଲି ଅର୍ଥାତ୍‌ ମେ ୧୦ରେ ହିମନ୍ତ ବିଶ୍ବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥି ସହିତ ହିମନ୍ତ ବିଶ୍ବ କହିଛନ୍ତି ଯେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ସେ ସୋମବାର ମଧ୍ୟାହ୍ନ ୧୨ଟାରେ କ୍ୟାବିନେଟ ସହ ଶପଥ ଗ୍ରହଣ କରିବେ।

ନରେନ୍ଦ୍ର ସିଂ ତୋମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏବେକାର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ହିମନ୍ତ ବିଶ୍ବ ଏବଂ ଭାଜପା ରାଜ୍ୟ ସଭାପତି ରଞ୍ଜିତ କୁମାର ଦାସଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ହିମନ୍ତ ବିଶ୍ବ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ତୋମାର କହିଛନ୍ତି ଯେ ଖୁବ ଶୀଘ୍ର ଭାଜପା ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ଏବଂ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ୍ସ (ୟୁପିପିଏଲ) ସହିତ ଏକ ବୈଠକ କରିବ। ୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ଭାଜପା ୬୦ଟି ସିଟ ଜିତିଥିବାବେଳେ ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ ୯ଟି ଏବଂ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ ୬ଟି ସିଟ ଜିତିଛି। ନିର୍ବାଚନ ପୂର୍ବରୁ ଭାଜପା ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନ ଥିଲା।

Share