Categories: ଜାତୀୟ

ହିମନ୍ତ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ, ୧୦।୫: ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ଆସାମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରବିବାର ଗୁଆହାଟୀରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ବୈଠକରେ ହିମନ୍ତଙ୍କ ନାମ ପ୍ରସ୍ତାବ ରଖିଥିଲେ ଓ ବିଧାୟକମାନେ ଏହାକୁ ସମର୍ଥନ ଜଣାଇଥିଲେ। ସୋମବାର ମଧ୍ୟାହ୍ନରେ ନୂଆ କ୍ୟାବିନେଟ ଶପଥ ନେବ ବୋଲି ହିମନ୍ତ କହିଛନ୍ତି।
ଆସାମରେ ଭାଜପା କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ନିକଟରେ ଶେଷ ହୋଇଥିବା ୧୨୬ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଭାଜପା ୬୦ ଆସନ ଜିତିଥିବାବେଳେ ସହଯୋଗୀ ଦଳ ଏଜିପିକୁ ୯ ଓ ୟୁପିପିଏଲ୍‌କୁ ୬ ଆସନ ମିଳିଥିଲା। ୨୦୧୬ ନିର୍ବାଚନରେ ଭାଜପା ସୋନୋଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବିଜୟୀ ହୋଇଥିଲା। ଏଥର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଦଳ କହିଥିଲା। ଶନିବାର ଉଭୟ ସୋନୋଓ୍ବାଲ ଓ ହିମନ୍ତ ନୂଆଦିଲ୍ଲୀରେ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ। ଆସାମରେ ସରକାର ଗଠନ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବାସଭବନରେ ଦୀର୍ଘସମୟ ବୈଠକ ବସିଥିଲା। ରବିବାର ଗୁଆହାଟୀରେ ବିଧାୟକ ଦଳ ବୈଠକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହେବା ପରେ ଉଭୟ ନେତା ଆସାମ ଫେରିଥିଲେ। ହିମନ୍ତ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବାରୁ ପରବର୍ତ୍ତୀ ସରକାର ଗଠନ ଲାଗି ତାଙ୍କୁ ରାଜ୍ୟପାଳ ଖୁବ୍‌ଶୀଘ୍ର ଆମନ୍ତ୍ରଣ କରିବେ ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
୬ ବର୍ଷ ପୂର୍ବେ ହିମନ୍ତ କଂଗ୍ରେସ ଦଳ ତ୍ୟାଗକରି ଭାଜପାରେ ଯୋଗଦେଇଥିଲେ। ଆସାମକୁ ଭାଜପା ନିୟନ୍ତ୍ରଣକୁ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୋନୋଓ୍ବାଲ ସରକାରରେ ସେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ।

Share