ଦିଶପୁର,୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ଓ୍ବାଲଙ୍କ ପ୍ରଥମ ରାଜନୈତିକ ରାଲି ଆସାମରେ ଆସନ୍ତା ଏପ୍ରିଲ ୨ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ ରାଜନୀତି ସରଗରମ ରହିଛି। ତେବେ ରାଲି ପୂର୍ବରୁ ଅରବିନ୍ଦ କେଜିର୍ଓ୍ବାଲଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ମୋ ବିରୋଧରେ ବି ଗୋଟିଏ ଶବ୍ଦ କୁହନ୍ତି, ତେବେ ମୁଁ ତା’ ପରଦିନ ମାନହାନି ମକଦ୍ଦମା ଦାୟର କରିବି। ମନୀଷ ସିସୋଡିଆଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟ କରିଛି।
ନିକଟରେ ଅରବିନ୍ଦ କେଜିର୍ଓ୍ବାଲ ଦିଲ୍ଲୀ ବିଧାନସଭାରେ କହିଥିଲେ, ଅନ୍ୟ ରାଜ୍ୟରେ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କେଜିର୍ଓ୍ବାଲଙ୍କ ଏହି ବିବୃତ୍ତି ପରେ ଏବେ ବିଶ୍ୱଶର୍ମା ତାଙ୍କୁ ଟର୍ଗେଟ କରିଛନ୍ତି। ସେ କେଜିର୍ଓ୍ବାଲଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି କହିଛନ୍ତି, କେଜିର୍ଓ୍ବାଲ ତାଙ୍କ ଅଭିଯୋଗଗୁଡିକୁ ଆସାମରେ ଆସି କୁହନ୍ତୁ, ବିଧାନସଭାରେ ନୁହେଁ। ବିଶ୍ୱଶର୍ମା ଆହୁରି କହିଛନ୍ତି, କେଜିର୍ଓ୍ବାଲଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି ମାନହାନି ମକଦ୍ଦମା ଦାୟର କରିନାହିଁ। କିନ୍ତୁ ବର୍ତ୍ତମାନ ତାହା ମୁଁ କରିପାରେ।