Categories: ବାଣିଜ୍ୟ

ମେଟ୍ରା ସହ ହିଣ୍ଡାଲ୍‌କୋର ବୁଝାମଣା

ଭୁବନେଶ୍ୱର,୧୩।୯: ଦେଶର ପ୍ରମୁଖ ଘରୋଇ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଇଟାଲୀର ମେଟ୍ରା ଏସ୍‌ପିଏ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉଭୟ କମ୍ପାନୀ ମଧ୍ୟରେ ଏକ ପ୍ରଯୁକ୍ତିଗତ ସହଭାଗିତା ହୋଇଛି। ଏପରିକି ଭାରତରେ ହାଇସ୍ପିଡ୍‌ ରେଳ କୋଚ୍‌ ନିର୍ମାଣ ନିମନ୍ତେ ବୃହତ୍‌ ଆକାରର ଆଲୁମିନିୟମ ଏକ୍ସଟ୍ରସନ ଏବଂ ଫାବ୍ରିକେଶନ ପ୍ରଯୁକ୍ତି ପ୍ରସ୍ତୁତି ଆଦି ପାଇଁ ଏହି ବୁଝାମଣା ହୋଇଥିବା ଉଭୟ ପକ୍ଷରୁ କୁହାଯାଇଛି। ସେହିଭଳି ଆଲୁମିନିୟମ ନିର୍ମାଣ କ୍ଷେତ୍ରରେ ହିଣ୍ଡାଲ୍‌କୋର ବିପୁଳ ଅଭିଜ୍ଞତା ଏବଂ ଆଲୁମିନିୟମ ଏକ୍ସଟ୍ରସନ, ମେଶିନିଂ ଏବଂ ୱେଲ୍‌ଡିଂ କ୍ଷେତ୍ରରେ ମେଟ୍ରାର ସର୍ବାଧୁନିକ ଜ୍ଞାନକୌଶଳକୁ ମିଳିତ ଉପଯୋଗ କରି ଏକ ବିଶ୍ୱଶ୍ରେଣୀୟ ପ୍ରଯୁକ୍ତି ଭାରତକୁ ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରୟାସ ହୋଇଛି। ଏହି ବୁଝାମଣା ବିଶ୍ୱର ସର୍ବବୃହତ୍‌ ରେଳ ନେଟ୍‌ୱର୍କ ପରିଚାଳନା କରୁଥିବା ଭାରତୀୟ ରେଳବାଇର ଆକାଂକ୍ଷିତ ଉନ୍ନତୀକରଣ କାର୍ଯ୍ୟକ୍ରମକୁ ଆଗେଇନେବା ଦିଗରେ ବେଶ୍‌ ସହାୟକ ହେବ। ଏ ସମ୍ପର୍କରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଏମ୍‌ଡି ସତୀଶ ପାଲ କହିଛନ୍ତି, ଭାରତରେ ଯାତ୍ରୀବାହୀ ଟ୍ରେନ୍‌ଗୁଡିକ ନିମନ୍ତେ ନୂତନ ଯୁଗର ଆଲୁମିନିୟମ ଏକ୍ସଟ୍ରସନସ ପ୍ରଚଳନ କରିବା ପାଇଁ ଆମେ ମେଟ୍ରା ସହ ହାତ ମିଳାଇ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ମେଟ୍ରା ଏସ୍‌ପିଏର ସିଇଓ ଏନ୍‌ରିକୋ ଜାମ ପେଡ୍ରି କହିଛନ୍ତି, ହିଣ୍ଡାଲ୍‌କୋ ସହ ସହଭାଗିତା କରି ଆମେ ଆମର ଆଲୁମିନିୟମ ଏକ୍ସଟ୍ରସନ ପ୍ରଯୁକ୍ତିର ସାମର୍ଥ୍ୟକୁ ବୈଶ୍ୱିକ ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ପାଇଛୁ। ବନ୍ଦେ ଭାରତ ଟ୍ରେନ୍‌ଗୁଡିକ ପାଇଁ ଯାତ୍ରୀବାହୀ କୋଚ ତିଆରିରେ ସହାୟତା କରିବାକୁ ହିଣ୍ଡାଲ୍‌କୋ ଏହି ପ୍ରକଳ୍ପ ନିମନ୍ତେ ୨୦୦୦କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି ଏବଂ ପ୍ରଯୁକ୍ତି ମେଣ୍ଟ ଏହି ପ୍ରୟାସ ସକାଶେ ସର୍ବାଧୁନିକ ସମୟର ପ୍ରଯୁକ୍ତି ଯୋଗାଇଦେବ।

Share