Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ପକ୍ଷ

ଭୁବନେଶ୍ୱର,୧୦।୧୦: ୟୁକୋ ବ୍ୟାଙ୍କର ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୩ ସମାରୋହ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଦେବବ୍ରତ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକ ଭାରତୀୟ ଭାଷାକୁ ସମ୍ମାନ କରିବା ସହ ରାଜଭାଷା ହିନ୍ଦୀକୁ ସମସ୍ତେ ଆପଣେଇବା ଉଚିତ ବୋଲି କହିଥିଲେ। ଏହି ଭାଷା ପ୍ରତ୍ୟେକ ଭାରତୀୟଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବ ବୋଲି ସେ କହିଥିଲେ। ସରକାରୀ ସ୍କୁଲଗୁଡ଼ିକରେ ଓଡ଼ିଆ ମାଧ୍ୟମରେ ପଢୁଥିବା ବିଦ୍ୟାର୍ଥୀମାନଙ୍କୁ ହିନ୍ଦୀର ଜ୍ଞାନ ପ୍ରଦାନ କରାଯିବା ଆବଶ୍ୟକ ତଥା ସେମାନଙ୍କ ମଧ୍ୟରେ ରଚନା, ତର୍କ ଓ ସମୂହ ଚର୍ଚ୍ଚା ଆଦି ପ୍ରତିଯୋଗିତା ହିନ୍ଦୀ ଭାଷାରେ କରାଯିବା ଉଚିତ ବୋଲି ମହାନ୍ତି ପ୍ରକାଶ କରିଥିଲେ। ନିଜର ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ପ୍ରୟୋଗ ଅଧିକରୁ ଅଧିକ କରାଯିବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ ବାଲେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ତଥା ଉପ-ଅଞ୍ଚଳ ମୁଖ୍ୟ ସୁଦୀପ ଧର ହିନ୍ଦୀ ଦିବସ ୨୦୨୩ ପାଇଁ ଗୃହ ମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ସନ୍ଦେଶ ପଠନ କରିଥିଲେ। ମୁଖ୍ୟ ପ୍ରବନ୍ଧକ ପ୍ରଦୀପ କୁମାର ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱନୀ କୁମାରଙ୍କ ସନ୍ଦେଶ ପଠନ କରି ସମସ୍ତଙ୍କୁ ଅବଗତ କରାଇଥିଲେ। ରାଜଭାଷାର ବରିଷ୍ଠ ପ୍ରବନ୍ଧକ ଡ. ସୁନୀଲ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share