Categories: ଜାତୀୟ

‘ହିନ୍ଦୀକୁ ଇଂଲିଶର ବିକଳ୍ପ କରାଯାଉ’

ନୂଆଦିଲ୍ଲୀ,୯।୪: କେନ୍ଦ୍ର କ୍ୟାବିନେଟ କାର୍ଯ୍ୟସୂଚୀର ୭୦ ପ୍ରତିଶତ ଏବେ ହିନ୍ଦୀରେ ପ୍ରସ୍ତୁତ ହେଉଛି। ସ୍ଥାନୀୟ ଭାଷା ନୁହେଁ, ହିନ୍ଦୀକୁ ଇଂଲିଶର ବିକଳ୍ପ ଭାବେ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ୩୭ତମ ସଂସଦୀୟ ଆନୁଷ୍ଠାନିକ ଭାଷା କମିଟି ବୈଠକରେ ଉଦ୍‌ବୋଧନ ଦେବା ଅବସରରେ ସେ ଉପରୋକ୍ତ ମତ ରଖିଥିଲେ। ହିନ୍ଦୀ ଶବ୍ଦକୋଷର ପୁନଃ ଅବଲୋକନ କରାଯିବାର ସମୟ ଆସିଛି ବୋଲି ଶାହା କମିଟିକୁ ପ୍ରସ୍ତାବ ଦେଇଛନ୍ତି। ସେହିପରି ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରାରମ୍ଭିକ ଜ୍ଞାନ ଭାବେ ହିନ୍ଦୀ ଶିକ୍ଷା ଦିଆଯିବା ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଶାହାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ। ଭାଜପା ଏହାକୁ ଅଣହିନ୍ଦୀ ଭାଷାଭାଷୀ ରାଜ୍ୟ ଉପରେ ଜବରଦସ୍ତ ଲଦିଦେବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। ଆମେ ହିନ୍ଦୀକୁ ସମ୍ମାନ ଦେଉଛୁ, କିନ୍ତୁ ଏହା ଲଦିଦିଆଯିବାକୁ ବିରୋଧ କରୁଛୁ ବୋଲି ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାଷା ରହିଛି। କେନ୍ଦ୍ର ସରକାର ହିନ୍ଦୀକୁ ଜାତୀୟ ଭାଷା କରିବା ପରିବର୍ତ୍ତେ ପେଟ୍ରୋଲ ଡିଜେଲ ଦର କମାଇବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ଶାହା ଯାହା କହୁଛନ୍ତି, ତାହା ଆଞ୍ଚଳିକ ଭାଷା ଓ ଦଳଗୁଡ଼ିକର ଗୁରୁତ୍ୱ କମାଇବା ଏଜେଣ୍ଡା ଭଳି ଲାଗୁଥିବା ଶିବସେନା ନେତା ମନିଷା କାୟେନ୍ଦେ କହିଛନ୍ତି।

Share