Categories: ଖେଳ

ଅଭିଷେକଙ୍କ ସଫଳତା ପଛରେ ହିନ୍ଦୀ ଶିକ୍ଷକ

ଭୁବନେଶ୍ୱର,୨ା୧(ସ୍ପୋଟର୍‌ସ ବ୍ୟୁରୋ): ବିଗତ ବର୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ପାଇଁ ପଦାର୍ପଣ କରିଥିଲେ ଫରଓ୍ବାର୍ଡ ଖେଳାଳି ଅଭିଷେକ। ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ ଓ ସୁଖଜିତ ସିଂଙ୍କ ସହିତ ଭାରତୀୟ ଫରଓ୍ବାର୍ଡର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ବେଳେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ ଅଛନ୍ତି। ତେବେ ଅଭିଷେକ ଭାରତୀୟ ଦଳ ପକ୍ଷରୁ ତଥା ହକି ଖେଳିବା ଏକ ସଞ୍ଜୋଗ ଥିଲା। ଅଭିଷେକଙ୍କ ଏହି ସଫଳତା ପଛରେ ରହିଛି ଜଣେ ଶିକ୍ଷକଙ୍କ ବଡ ଭୂମିକା। ଜଣେ ହିନ୍ଦୀ ଶିକ୍ଷକ ହକିର ପ୍ରଶିକ୍ଷକ ପାଲଟିଥିବା ବେଳେ ଅଭିଷେକଙ୍କ ପରି ଖେଳାଳିଙ୍କ ସୃଷ୍ଟି ହୋଇଥିଲା। ସାଙ୍ଗ ଦ୍ୱାରା ଅନୁପ୍ରାଣିତ ହୋଇ ଅଭିଷେକ ହକି ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ।

ପରବର୍ତ୍ତୀ ସମୟରେ ସାଙ୍ଗ ହକି ଖେଳିବା ଛାଡି ଦେଇଥିଲେ ମଧ୍ୟ ଅଭିଷେକଙ୍କ ଖେଳ ପ୍ରତି ଥିବା ଭଲପାଇବା ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଥିଲା। ପିଲାଦିନେ ଅଭିଷେକ ଅତ୍ୟନ୍ତ ଦୁଷ୍ଟ ସ୍ବଭାବର ଥିଲେ। ଥରେ ହକି କୋଚ ନ ଥିବା ବେଳେ ଜାମୁ କୋଳି ଗଛ ଉପରୁ ପଡି ନିଜ ହାତ ଭାଙ୍ଗି ଦେଇଥିଲେ। ଏହା ପରେ ପରିବାର ଲୋକଙ୍କ ପକ୍ଷରୁ ହକି ଛାଡିବା ପାଇଁ ଅଭିଷେକଙ୍କ ଉପରେ ରହିଥିଲା ପ୍ରବଳ ଚାପ। ତେବେ କୋଚ୍‌ ସମଶେରଙ୍କ ହସ୍ତକ୍ଷେପ ପରେ ପରିବାର ଲୋକ ହକି ଖେଳିବାକୁ ଅନୁମତି ଦେଇଥିଲେ, ଯାହା ପରବର୍ତ୍ତୀ ସମୟରେ ପାଲଟିଥିଲା ଇତିହାସ।

ଅଭିଷେକ ଭାରତୀୟ ଦଳ ପାଇଁ ୨୮ ଅନ୍ତର୍ଜାତୀୟ ମୁକାବିଲାରେ ୧୧ ଗୋଲ ସ୍କୋର କରିଛନ୍ତି। ଅଭିଷେକଙ୍କ କୋଚ ସମଶେର ପ୍ରାରମ୍ଭରୁ ଜଣେ ହିନ୍ଦୀ ଶିକ୍ଷକ ଭାବରେ ସୋନିପତର ସିଆରଜେଡ୍‌ ସ୍କୁଲରେ ଯୋଗ ଦେଇଥିଲେ। ସେ ସମୟରେ ସ୍କୁଲରେ ହକି ପାଇଁ କୋଚିଂ ଷ୍ଟାଫ୍‌ ମଧ୍ୟ ରହିଥିଲେ। ସମଶେରଙ୍କ ନିକଟରେ ହକିର ସାମାନ୍ୟ ଜ୍ଞାନ ଥିଲେ ମଧ୍ୟ ସେ କେବେ ପ୍ରଶିକ୍ଷଣ ଦେଇ ନ ଥିଲେ। ୨୦୦୫ରେ ସାଇ ପକ୍ଷରୁ ହକି କୋଚିଂ ଷ୍ଟାଫ୍‌ଙ୍କୁ ଛଟେଇ କରାଯିବା ପରେ ହିନ୍ଦୀ ଶିକ୍ଷକ ସମଶେର ସ୍କୁଲ ହକି ଦଳର ଦାୟିତ୍ୱ ନିଅନ୍ତି। ୩ ବର୍ଷ ପରେ ସମାନ ସ୍କୁଲକୁ ଆସନ୍ତି ଅଭିଷେକ। ସମଶେର ଶୃଙ୍ଖଳାକୁ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଏହାର ନଜିର ଏବେ ମଧ୍ୟ ଅଭିଷେକଙ୍କ ଜୀବନରେ ଦେଖିବାକୁ ମିଳିଥାଏ। ଜାତୀୟ ଦଳ ପାଇଁ ଖେଳିବା ପରେ ମଧ୍ୟ ଅଭିଷେକଙ୍କ ଆଚାର ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଅନ୍ୟ ଖେଳାଳିମାନେ କୁହନ୍ତି ବୋଲି ସମଶେର କୁହନ୍ତି।

Share