Categories: ଖେଳ

କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ

ଇନ୍ଦୋର, ୨୬ା୭ (ପି.ଟି.)-କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପୂର୍ବତନ ଅମ୍ପାୟର ରାଜୀବ ରିସୋଦକର। ମର୍ଯ୍ୟାଦାପୂର୍ଣ୍ଣ ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)ର ୱେବସାଇଟ୍‌ରେ ଏହାର ଅପ୍‌ଲୋଡ୍‌ କରାଯାଇଛି। ଏମ୍‌ସିସି ହେଉଛି କ୍ରିକେଟ ଆଇନର ସଂରକ୍ଷକ। ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ) ପାଇଁ ଏହା ଗର୍ବର ବିଷୟ ବୋଲି ଏହାର ସମ୍ପାଦକ ସଞ୍ଜୀବ ରାଓ ପ୍ରକାଶ କରିଛନ୍ତି। ୫୮ ବର୍ଷୀୟ ରିସୋଦକର ୧୯୯୭ରୁ ୨୦୧୬ ପର୍ଯ୍ୟନ୍ତ ବିସିସିଆଇ ସମ୍ପାଦକ ଭାବେ କାର୍ଯ୍ୟ କରି ଆସିଛନ୍ତି। ବର୍ତ୍ତମାନ ସେ ବିସିସିଆଇର ଲେଭଲ-୩ ଅମ୍ପାୟର ଏଜୁକେଟର। ଦୁଇ ଦଶନ୍ଧି ଧରି ସେ ଅନେକ ଅମ୍ପାୟରଙ୍କୁ ଟ୍ରେନିଂ ଦେଇ ସାରିଛନ୍ତି। କ୍ରିକେଟ ନିୟମାବଳୀ ଇଂଲିଶ ଭାଷାରେ ଲେଖା ହୋଇଛି। ବିସିସିଆଇର ପ୍ରସ୍ତାବ କ୍ରମେ ସେ ତାହାର ହିନ୍ଦୀ ଅନୁବାଦ କରିଛନ୍ତି। ଏହାଦ୍ୱାରା କ୍ରିକେଟ ପାଗଳ ଦେଶରେ ଅନେକ ଲୋକ ଖେଳର ନିୟମ ସମ୍ପର୍କରେ ଜାଣିପାରିବେ ବୋଲି ରିସୋଦକର କହିଛନ୍ତି। ହିନ୍ଦୀ ଭାଷୀ ଅମ୍ପାୟରମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ, ଯେଉଁମାନଙ୍କ ପକ୍ଷେ ଇଂଲିଶ ବୁଝିବା କଷ୍ଟକର ହୋଇଥାଏ। ଅନୁବାଦ କରିବା ଲାଗି ତାଙ୍କୁ ୧ ମାସ ପାଖାପାଖି ସମୟ ଲାଗିଥିଲା। ଲଡର୍‌ସସ୍ଥିତ ଏମ୍‌ସିସିର ପ୍ରତିଷ୍ଠା ୧୭୮୭ରେ ହୋଇଥିଲା। ଏହି କ୍ଲବ କ୍ରିକେଟ ଖେଳର ଆଇନ ପ୍ରଣେତା ଭାବେ କାର୍ଯ୍ୟକରିଆସୁଛି।

Share