Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ପରିମଣ୍ଡଳରେ ହିନ୍ଦୀ ପକ୍ଷ

ଭୁବନେଶ୍ୱର, ୧୫।୯:ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ପରିମଣ୍ଡଳ ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏସ୍‌ଏନ୍‌ଏଲ୍‌ ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଦୂରସଞ୍ଚାର ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ରୁଦ୍ରନାରାୟଣ ପଲାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମହାପ୍ରବନ୍ଧକ ଦୁଷ୍ମନ୍ତ କୁମାର ବେହେରା, ଶଶିଦେବ ଦୁର୍ଗା, ବରିଷ୍ଠ ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ମହାପାତ୍ର, ସଞ୍ଜୟ କୁମାର ଗୁପ୍ତା, ଗୁରୁଦାସ ମେହେର, ବିଜୟ କୁମାର ବେହେରା, ମୁଖ୍ୟ ଯନ୍ତ୍ରୀ (ବୈଦ୍ୟୁତିକ) ଗଜେନ୍ଦ୍ର କୁମାର ଯାଦବ, ମୁଖ୍ୟଯନ୍ତ୍ରୀ (ସିଭିଲ) ପ୍ରଦୀପ କୁମାର ମଲ୍ଲିକ, ଅନ୍ତରୀଣ ଅର୍ଥ ପରାମର୍ଶଦାତା ହମ୍ବେ ହେମ୍ବ୍ରମ, ଉପମହାପ୍ରବନ୍ଧକ (ଭିଜିଲାନ୍ସ) କେ.ସି. ପତି ଏବଂ ଓଡ଼ିଶା ଦୂରସଞ୍ଚାର ପରିମଣ୍ଡଳର ସମସ୍ତ ଅନୁଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ହିନ୍ଦୀ ଅନୁବାଦକ ହିନ୍ଦୀ ପକ୍ଷ ଅବସରରେ ହେବାକୁ ଥିବା ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ବିଷୟରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଏ ନେଇ ମୁଖ୍ୟ ମହାପ୍ରବନ୍ଧକ ପଲାଇ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ହିନ୍ଦୀ ପକ୍ଷ ଅବସରରେ ହେବାକୁ ଥିବା ସମସ୍ତ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ସେମାନଙ୍କ ପିଲାମାନଙ୍କୁ ମଧ୍ୟ ହିନ୍ଦୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ଦେବାକୁ ପଲାଇ କହିଥିଲେ। ବିଶେଷକରି ହିନ୍ଦୀ ପକ୍ଷ ସମାରୋହକୁ ସଫଳ କରିବା ସହ ରାଜଭାଷା ହିନ୍ଦୀର ପ୍ରଗତି ପାଇଁ ଯୋଗଦାନ ଦେବାକୁ ସେ ଆହ୍ବାନ କରିଥିଲେ।

Share