Categories: ଫୁରସତ

ବିଦେଶରେ ହିନ୍ଦୁ ସଂସ୍କୃତି, ଓଡ଼ିଆଙ୍କ ଚଳଣି ସହିତ ରହିଛି ଅନେକ ସାମଞ୍ଜସ୍ୟ

ଭାରତ ବାହାରେ ଅନ୍ୟ ଦେଶମାନଙ୍କରେ ବି ହିନ୍ଦୁ ଧର୍ମ ତଥା ସଂସ୍କୃତିର ଅନେକ ପ୍ରମାଣ ଦେଖିବାକୁ ମିଳିଥାଏ। ସେମିତି ଏକ ସ୍ଥାନ ହେଉଛି ଇଣ୍ଡୋନେସିଆର ବାଲିଦ୍ବୀପ। କହିବାକୁ ଗଲେ ଏହା ଏକ ମୁସ୍‌ଲିମପ୍ରଧାନ ଦେଶ, କିନ୍ତୁ ଏଠାକାର ବାଲିଦ୍ବୀପରେ ହିନ୍ଦୁଧର୍ମ ପ୍ରତି ଖୁବ୍‌ ଆସ୍ଥା ରହିଛି। ଏହି ବିବିଧତାକୁ ସ୍ଥାନୀୟ ଲୋକେ ସେମାନଙ୍କର ସଂସ୍କୃତି ବୋଲି ମାନିଥାନ୍ତି। ବାଲିର ମନ୍ଦିର, ସଂସ୍କୃତି, ସଭ୍ୟତା, ଧର୍ମ, କଳା, ନୃତ୍ୟ ଓ ସଙ୍ଗୀତ ଇତ୍ୟାଦିରେ ଏବେ ବି ହିନ୍ଦୁଧର୍ମର ଝଲକ ଦେଖିବାକୁ ମିଳିଥାଏ। କେବଳ ଭାରତ ସହିତ କାହିଁକି ବାଲିଦ୍ବୀପର ଓଡ଼ିଶା ଓ ଓଡ଼ିଆଙ୍କ ଚଳଣି ସହିତ ମଧ୍ୟ ଅନେକ ସାମଞ୍ଜସ୍ୟ ରହିଛି, ଯାହାକୁ ନେଇ ଏହି ଉପସ୍ଥାପନା…
ଇଣ୍ଡୋନେସିଆକୁ ଦ୍ବୀପର ଦେଶ ବୋଲି କୁହାଯାଇଥାଏ। ଏଠାକାର ଏକ ପ୍ରସିଦ୍ଧ ଦ୍ବୀପ ହେଉଛି ବାଲି। ବାଲି ଏସିଆର ସବୁଠାରୁ ସୁନ୍ଦର ଦ୍ବୀପ ମଧ୍ୟରେ ଅନ୍ୟତମ, ଯେଉଁଠାକୁ ଦୁନିଆର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଛୁଟି କଟାଇବା ପାଇଁ ଆସିଥାନ୍ତି। ନୀଳ ସମୁଦ୍ର ଓ ସୁନେଲି ସମୁଦ୍ରତଟ ଘେରା ବାଲି ବିଶେଷ ରୂପରେ ସମୁଦ୍ରତଟୀୟ ଏକ ସ୍ବର୍ଗୀୟ ସ୍ଥାନ। ଅନ୍ୟ ଆକର୍ଷଣ ରୂପରେ ଏଠାରେ ଅନେକ ମନ୍ଦିର, ଗୁମ୍ଫା, ଝରଣା, ସଂଗ୍ରହାଳୟ ତଥା ବଜାର ଆଦି ବହୁ ସଂଖ୍ୟାରେ ଦେଖିବାକୁ ମିଳିଥାଏ। ତା’ଛଡା ସମୁଦ୍ରତଟର ଆକର୍ଷଣ ସାଙ୍ଗକୁ ପର୍ଯ୍ୟଟକ ଏଠାରେ ଅନେକ ଦୁଃସାହସିକ ଜଳକ୍ରୀଡ଼ାର ମଧ୍ୟ ମଜା ନେଇଥାନ୍ତି। କହିବାକୁ ଗଲେ ବାଲି ହେଉଛି ଏକ ଶାନ୍ତିପ୍ରିୟ ପର୍ଯ୍ୟଟନସ୍ଥଳୀ।


ବାଲିଦ୍ବୀପରେ ହିନ୍ଦୁଧର୍ମର ବିସ୍ତାର: ଇତିହାସରୁ ଯାହା ଜଣାଯାଏ, ପ୍ରାଚୀନ କାଳରୁ ହିଁ ଏଠାରେ ହିନ୍ଦୁଧର୍ମ ତା’ର କାୟା ବିସ୍ତାର କରିଛି। ସେହିପରି ବାଲିଦ୍ବୀପର ନାମକରଣକୁ ନେଇ ଅନେକଙ୍କର ଆସ୍ଥା ରହିଛି ଯେ, ପୁରାଣରେ ବର୍ଣ୍ଣିତ ପାତାଳପୁରର ରାଜା ବଳିଙ୍କ ନାମାନୁସାରେ ଏହାର ଏପରି ନାମ ରଖାଯାଇଛି। ତେଣୁ ବାଲିରେ ହିନ୍ଦୁଧର୍ମ ପ୍ରତି ଲୋକମାନଙ୍କର ଖୁବ୍‌ ଆସ୍ଥା ରହିଛି। ତା’ସହିତ ବୌଦ୍ଧଧର୍ମର ଅନେକ ଝଲକ ଏଠାରେ ଦେଖିବାକୁ ମିଳିଥାଏ। ବାଲିସ୍ଥିତ ଗୋଆ ଗଜହ୍‌ ମନ୍ଦିରରେ ଦେଖିବାକୁ ମିଳୁଥିବା ଭଗବାନ ଗଣେଶଙ୍କର ପ୍ରାଚୀନ ପ୍ରତିମା, ଶିବଲିଙ୍ଗ ଏବଂ ବୁଦ୍ଧଦେବଙ୍କର ପ୍ରତିମା ହେଉଛି ଏହାର ଏକ ବଳିଷ୍ଠ ଉଦାହରଣ। ବାଲିଦ୍ବୀପର ଇତିହାସ ବିଷୟରେ ଏହା ବି ଶୁଣିବାକୁ ମିଳେ ଯେ, ଆଜକୁ ବହୁ ବର୍ଷପୂର୍ବେ ଏଠାରେ ହିନ୍ଦୁ ରାଜ୍ୟର ସ୍ଥାପନା ହୋଇଥିଲା। କିଛି ବର୍ଷପରେ ମୁସ୍‌ଲିମମାନେ ଇଣ୍ଡୋନେସିଆ ଉପରେ ଆକ୍ରମଣ କଲେ, କିନ୍ତୁ ବାଲି ପର୍ଯ୍ୟନ୍ତ ପହଞ୍ଚିପାରିଲେ ନାହିଁ। ଏହି ଆକ୍ରମଣ ପରେ ଜାଭା ଆଦି ଦ୍ବୀପର ନିବାସୀ ମଧ୍ୟ ବାଲିରେ ଆସି ରହିବାକୁ ଲାଗିଲେ। ଏହିପରି ଭାବରେ ବାଲିରେ ହିନ୍ଦୁଧର୍ମ ସୁରକ୍ଷିତ ରହିଲା। ପରବର୍ତ୍ତୀ ସମୟରେ ବାଲିରେ ଡଚ୍‌ମାନଙ୍କର ସତ୍ତା କାୟା ବିସ୍ତାର କରିବାକୁ ଲାଗିଲା। ଏଥିରେ ବାଲିର ରାଜନୀତି ପ୍ରଭାବିତ ହେଲା ସତ, କିନ୍ତୁ ଧର୍ମ ଓ ସଂସ୍କୃତି ଉପରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ। ବହୁ ସଂଘର୍ଷ ପରେ ଡଚ୍‌ମାନଙ୍କ କବଳରୁ ବାଲି ସ୍ବାଧୀନତା ପାଇଲା। ତେଣୁକରି ଆଜି ବି ବାଲିଦ୍ବୀପରେ ହିନ୍ଦୁଧର୍ମ ଓ ସଂସ୍କୃତିର ସତ୍ତା ଦେଖିବାକୁ ମିଳେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାକାର ପ୍ରାୟ ୮୦ ପ୍ରତିଶତ ଜନତା ଏବେ ବି ହିନ୍ଦୁଧର୍ମକୁ ସମ୍ମାନ ଦେବା ସହ ପାଳନ ମଧ୍ୟ କରୁଛନ୍ତି। ଏଠାକାର ଲୋକେ ଶାନ୍ତ ଓ ସରଳ ସ୍ବଭାବର ହୋଇଥାନ୍ତି।


ଦେବତାଙ୍କ ଦ୍ବୀପ: ବାଲିରେ ଅନେକ ମନ୍ଦିର ଦେଖିବାକୁ ମିଳିଥାଏ। କୁହାଯାଏ, ଏଠାକାର ପ୍ରତି ବର୍ଗ କିମିର ପରିଧି ଭିତରେ ଏତେ ସଂଖ୍ୟାରେ ମନ୍ଦିର ରହିଥାଏ ଯେ ଯାହା ଅନ୍ୟ କେଉଁଠି ଦେଖିବା ସମ୍ଭବ ନୁହେଁ। ତେଣୁ ବାଲିଦ୍ବୀପକୁ ଅନେକେ ‘ଦେବତାଙ୍କ ଦ୍ବୀପ’ ବୋଲି ବି କହିଥାନ୍ତି। ସ୍ଥାନୀୟ ବାସିନ୍ଦା ଖୁବ୍‌ ଈଶ୍ବର ବିଶ୍ବାସୀ ହୋଇଥାନ୍ତି। ଏଠାକାର ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କୁ ନିଜର ଗୋଡକୁ ଘୋଡାଇ କି ଯିବାର ଏକ ପରମ୍ପରା ଏଠାରେ ରହିଛି। ସେଥିପାଇଁ ଏଠାରେ ସମସ୍ତଙ୍କୁ ମନ୍ଦିର ମଧ୍ୟକୁ ଯିବା ପୂର୍ବରୁ ଲୁଙ୍ଗି ପରି ଏକ ବସ୍ତ୍ର ଦିଆଯାଇଥାଏ। ତାକୁ ପିନ୍ଧିକି ହିଁ ସମସ୍ତେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି। ତା’ଛଡା ଏଠାକାର ଅନେକ ମନ୍ଦିରରେ ପବିତ୍ର ଜଳକୁଣ୍ଡ ବି ରହିଛି, ଯେଉଁଠାରେ ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ସ୍ନାନ କରିଥାନ୍ତି। ସେହିପରି ଏଠାରେ କଦଳୀ ପତ୍ରରେ ତିଆରି ସ୍ବତନ୍ତ୍ର ଠୁଙ୍ଗାରେ ଠାକୁରଙ୍କ ପାଖେ ଭୋଗ କରାଯାଇଥାଏ। ଅନ୍ୟପକ୍ଷେ ବାଲିକୁ ମୂର୍ତ୍ତିର ଦ୍ବୀପ ବୋଲି ବି କେହି କେହି କହିଥାନ୍ତି। କାରଣ ଏଠାରେ ଅନେକ ମୂର୍ତ୍ତି ଦେଖିବାକୁ ମିଳିଥାଏ। ଆଉ ଏହିସବୁ ମୂର୍ତ୍ତିଗୁଡିକୁ କଳା ଓ ଧଳା ରଙ୍ଗର ଚେକ୍‌ ପ୍ରିଣ୍ଟ ଥିବା ଲୁଙ୍ଗି ପରି କପଡା ପିନ୍ଧାଯାଇଥାଏ। ଏହି କଳା ଓ ଧଳାରଙ୍ଗର କପଡାକୁ ପାପ- ପୁଣ୍ୟ ବା ଗୁଣ- ଅବଗୁଣର ପ୍ରତୀକ ଭାବେ ସ୍ଥାନୀୟ ଲୋକେ ମାନିଥାନ୍ତି।

ବାଲିରେ ହିନ୍ଦୁ ମନ୍ଦିର: ବାଲିଦ୍ବୀପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଗଣେଶ, ସରସ୍ବତୀ, କୃଷ୍ଣ ଓ ରାମ ଆଦି ଭଗବାନଙ୍କର ମନ୍ଦିର ଦେଖିବାକୁ ମିଳିଥାଏ। ଆଉ ଏହିସବୁ ମନ୍ଦିରରେ ହିନ୍ଦୁଧର୍ମ ଉପରେ ଆଧାରିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ବି ପରିବେଷଣ କରାଯାଇଥାଏ। ତା’ଛଡା ପ୍ରତିଦିନ ଏଠାରେ ରାମାୟଣ, ମହାଭାରତ ପାଠ କରାଯିବାର ଏକ ଅଦ୍ଭୁତ ଦୃଶ୍ୟ ବେଶ୍‌ ମନୋମୁଗ୍ଧକର ହୋଇଥାଏ। ଖାସ୍‌ କରି ଏଠାକାର ସମୁଦ୍ର ନିକଟସ୍ଥ ବିଶାଳ ଚଟାଣ ଉପରେ ତିଆରି ହୋଇଥିବା ତନହ ଲୋଟ୍‌ ମନ୍ଦିର ଏକ ଆକର୍ଷଣୀୟ ହିନ୍ଦୁ ମନ୍ଦିର। କୁହାଯାଏ ଏହି ମନ୍ଦିରର ଏକ ସ୍ରୋତରେ ଜଳ ପ୍ରବାହିତ ହୋଇଥାଏ। ସମୁଦ୍ର ନିକଟସ୍ଥ ହୋଇଥିଲେ ବି ଏହି ସ୍ରୋତର ଜଳ ମିଠା ଲାଗିଥାଏ। ଏହି ପବିତ୍ର ଜଳକୁ ସମସ୍ତ ଭକ୍ତ ଖୁବ୍‌ ଆନନ୍ଦର ସହକାରେ ପାନ କରିଥାନ୍ତି। ଏହାଛଡା ବାଲିରେ ଆହୁରି ଅନେକ ପ୍ରାଚୀନ ମନ୍ଦିର ବି ରହିଛି, ଯାହା ହିନ୍ଦୁଧର୍ମ ପ୍ରତି ବାଲିବାସୀଙ୍କର ଆସ୍ଥାକୁ ସିଧାସଳଖ ଦର୍ଶାଇଥାଏ।


କଳାପ୍ରେମୀ ବାଲିବାସୀ: ବାଲିବାସିନ୍ଦା ଖୁବ୍‌ କଳାପ୍ରେମୀ। କଳା ପ୍ରତି ସେମାନଙ୍କର ଆସ୍ଥାକୁ ଦେଖିଲେ ଲାଗେ ସତେ ଯେମିତି ଈଶ୍ବର ସେମାନଙ୍କୁ କଳାର ବରଦାନ ଦେଇ ପୃଥିବୀରେ ଛାଡି ଦେଇଛନ୍ତି। ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଚିତ୍ରକଳା ଆଦିରେ ସ୍ଥାନୀୟ ଲୋକେ ଖୁବ୍‌ ନିପୁଣ। ସେମାନଙ୍କ ହାତ ତିଆରି ରୁପା ଓ ସୁନାର ଆଭୂଷଣ, ମୂର୍ତ୍ତି, ଚିତ୍ର, ସାମୁକାରେ ତିଆରି ଆଭୂଷଣ ତଥା ଘରକରଣା ଜିନିଷ, କାଠ ଓ ବାଉଁଶରେ ତିଆରି ବିଭିନ୍ନ ବାଦ୍ୟଯନ୍ତ୍ର, କାଚ, କ୍ଲେ ଏବଂ କ୍ରୁସ୍‌ କାମରେ ତିଆରି ଅନେକ ସୁନ୍ଦର ସୁନ୍ଦର ବସ୍ତୁକୁ ଦେଖିଲେ କାହାର ବି ଧ୍ୟାନ ଆକର୍ଷିତ ହୋଇଯିବା ସ୍ବାଭାବିକ।
ଖାଦ୍ୟପେୟ, ଭାଷା, ପରିପାଟୀ: ଯେହେତୁ ବାଲିରେ ଧାନଚାଷ ପ୍ରଚୁର ହୋଇଥାଏ, ତେଣୁ ଏଠାକାର ମୁଖ୍ୟ ଖାଦ୍ୟ ହେଉଛି ଭାତ। ତେବେ ଏଠାରେ ଟେରାସ୍‌ ବା ପାହାଡକୁ କାଟି ଥାକ ଥାକ କରି ଧାନ ଚାଷ କରିବାର ପ୍ରଣାଳୀ ବେଶ୍‌ ଆକର୍ଷକ ଲାଗିଥାଏ। ମାଛ, ମାଂସ ବି ଏମାନଙ୍କର ଖୁବ୍‌ ପ୍ରିୟ। କିନ୍ତୁ ହିନ୍ଦୁମାନଙ୍କ ପରି ଏଠାରେ ଗୋମାଂସକୁ ବର୍ଜନ କରାଯାଇଛି। ସେହିପରି ବାଲିର ପ୍ରାଚୀନ ଭାଷା ସଂସ୍କୃତ ଦ୍ୱାରା ପ୍ରଭାବିତ। ସେଠାରେ ସଂସ୍କୃତ ଭାଷାରେ ବି ଅନେକ ଗ୍ରନ୍ଥ ରଚନା କରାଯାଇଛି। ଅନ୍ୟପକ୍ଷେ ଏମାନେ ପାରମ୍ପରିକ ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଅନେକ ବିଦେଶୀ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିଥିଲେ ବି ଏମାନେ ବିଦେଶୀ ସଭ୍ୟତାକୁ କି ଆଧୁନିକ ପରିପାଟୀକୁ ଆପଣେଇ ନାହାନ୍ତି। ସର୍ବଦା ଦେହକୁ ସମ୍ପୂର୍ଣ୍ଣ ଢାଙ୍କି ହୋଇ ରହିଲା ଭଳି ପୋଷାକ ପିନ୍ଧିବାକୁ ଏମାନେ ଭଲ ପାଇଥାନ୍ତି।
ଯୋଗ ଓ ଧ୍ୟାନ ଉପରେ ଆସ୍ଥା: ବାଲିରେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥାଏ। ମନକୁ ଶାନ୍ତ ରଖିବା ପାଇଁ ଏମାନେ ଯୋଗ, ଧ୍ୟାନ ଆଦି କରିବା ସହିତ ଭକ୍ତି ସଂଗୀତ ତଥା ଆଧ୍ୟାତ୍ମିକ କଥା ଶୁଣିବାକୁ ଭଲ ପାଇଥାନ୍ତି।

ପର୍ଯ୍ୟଟନରେ ବି ଆଗୁଆ: ସ୍ବର୍ଗସମ ସୁନ୍ଦର ତଥା ମନମୋହକ ଆକର୍ଷଣ ପାଇଁ ବାଲିଦ୍ବୀପରେ ସବୁବେଳେ ପର୍ଯ୍ୟଟକଙ୍କର ଭିଡ ଜମିଥାଏ। ତେବେ ବିଦେଶୀ ପର୍ଯ୍ୟଟକଙ୍କ ତୁଳନାରେ ଭାରତୀୟ ପର୍ଯ୍ୟଟକ ଏଠାକୁ ବହୁ ସଂଖ୍ୟାରେ ଆସିଥାନ୍ତି। ଏହ ପଛରେ ଗୋଟିଏ କାରଣ ହେଉଛି ଏଠାରେ ଦେଖିବାକୁ ମିଳୁଥିବା ହିନ୍ଦୁ ସଂସ୍କୃତି ଓ ପରମ୍ପରା। ଆଉ ଏକ କାରଣ ହେଉଛି ଏଠାକାର ମୁଦ୍ରା। ଏଠାକାର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଢେର୍‌ ଅଧିକ। ତେଣୁ ଭାରତୀୟଙ୍କୁ ଖୁବ୍‌ କମ୍‌ ଖର୍ଚ୍ଚରେ ଏଠାରେ ବୁଲିବାକୁ ସୁବିଧା ହୋଇଥାଏ। ଦିନେ ହନିମୁନ୍‌ ଡେଷ୍ଟିନେଶନ ଭାବେ ପର୍ଯ୍ୟଟକଙ୍କ ଗହଣରେ ଏହା ପରିଚିତ ଥିଲା। କିନ୍ତୁ ଏବେ ଇଣ୍ଡୋନେସିଆର ଏହି ଦ୍ବୀପ ହଲିଡେ ସ୍ପଟ୍‌ ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଛି। ଖାସ୍‌ ଏହି କାରଣ ପାଇଁ ୨୦୧୭ ମସିହାରେ ଏଠାକୁ ପ୍ରାୟ ୬୦ ଲକ୍ଷ ପର୍ଯ୍ୟଟକ ଆସିଥିବାର ସୂଚନା ରହିଛି। ତନ୍ମଧ୍ୟରୁ ଅଧିକ ସଂଖ୍ୟକ କେବଳ ଭାରତୀୟ ହିଁ ଥିଲେ।


ଓଡ଼ିଶା ସହ ବାଲିଦ୍ବୀପର ସମ୍ପର୍କ: ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତି ସମଗ୍ର ବିଶ୍ବରେ ସୁନାମ ଅର୍ଜନ କରିପାରିଛି। ଜଣାଯାଏ ଯେ, କଳିଙ୍ଗରେ ଅନେକ ବୃହତ ବନ୍ଦର ଥିଲା ଏବଂ ବହୁ ପ୍ରକାର ଜାହାଜ ତିଆରି ହେଉଥିଲା। ଆଉ ଏହି ଜାହାଜଗୁଡିକ ସାହାଯ୍ୟରେ ଉତ୍କଳୀୟମାନେ ସମୁଦ୍ର ବକ୍ଷରେ ଆତଯାତ ହୋଇ ବାଣିଜ୍ୟ କରିବାକୁ ଯାଉଥିଲେ। ତେବେ ଆଷାଢରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉଥିବାରୁ ନଦୀଗୁଡିକ ପୂର୍ଣ୍ଣଗର୍ଭା ଥାନ୍ତି। ଆଉ କାର୍ତ୍ତିକ ମାସରୁ ଚୈତ୍ର ପର୍ଯ୍ୟନ୍ତ କେତେ ମାସ ଉତ୍ତରପୂର୍ବ ଦିଗରୁ ବାୟୁ ପ୍ରବାହିତ ହୋଇଥାଏ। ଏହି ବାୟୁର ସହାୟତାରେ ଉତ୍କଳୀୟ ସାହସୀ ବୀର ବଣିକ, ଧୀବର, କୈବର୍ତ୍ତ ଓ କ୍ଷତ୍ରିୟମାନେ ମିଶି ଜାଭା, ସୁମାତ୍ରା, ବାଲି ପ୍ରଭୃତି ଦ୍ବୀପରେ ବାଣିଜ୍ୟ କରି ପୁନଶ୍ଚ ଉତ୍ତରାଭିମୁଖୀ ମୌସୁମୀ ବାୟୁ ସାହାଯ୍ୟରେ ପ୍ରତ୍ତ୍ୟାବର୍ତ୍ତନ କରୁଥିଲେ। ସେଥିପାଇଁ ଓଡିଶାର ପ୍ରାୟ ପ୍ରତ୍ୟେକ ନଦୀକୂଳ ଜନବସତି ପାଖରେ କୈବର୍ତ୍ତ ଓ କ୍ଷତ୍ରିୟଙ୍କ ସମ୍ପ୍ରଦାୟ ଦେଖିବାକୁ ମିଳିଥାଏ। ନୌବାଣିଜ୍ୟ କରିବା ସମୟରେ କୈବର୍ତ୍ତମାନେ ନୌଚାଳଣା ଓ କ୍ଷତ୍ରିୟମାନେ ବାଣିଜ୍ୟ କ୍ଷେତ୍ରରେ ସୁରକ୍ଷା ଦେବାପାଇଁ ଯାଉଥିଲେ। ସାଧବ ପୁଅମାନେ ବାଲିଦ୍ବୀପ, ସିଂହଳ, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଚାଇନା ଓ ବର୍ମା ଇତ୍ୟାଦି ସ୍ଥାନକୁ ବଣିଜ କରିବା ପାଇଁ ସାଙ୍ଗରେ ପାନ, ତୁଳା, ମୂଲ୍ୟବାନ କାଠ, ହାତୀଦାନ୍ତ, ସୂକ୍ଷ୍ମଲୁଗା, ଶଙ୍ଖ, ମୁଗୁନିପଥର ଖୋଦିତ ମୂର୍ତ୍ତି, ଝୁଣା, ମସଲା ନେଇ ଯାଉଥିଲେ। ଫେରିବା ସମୟରେ ରତ୍ନଝରା, ମାଣିକ୍ୟ, ବାଲିଦ୍ବୀପର ମୋତିମାଳ, ସିଂହଳ ଦ୍ବୀପର କଳାମେଘୀ ପାଟ, ହୀରା, ମଲ୍ଲୀକଢି ଆଦି ନେଇ ଆସୁଥିଲେ। ତେବେ ସବୁ ଦ୍ବୀପ ଅପେକ୍ଷା ବାଲିଦ୍ବୀପ ସହ କଳିଙ୍ଗର ସମ୍ପର୍କ ଅତ୍ୟନ୍ତ ବଳିଷ୍ଠ ଥିଲା। ବୃହତ୍‌ ସଂହିତା ଓ କଥାସରିତ ସାଗରରେ ଏ ସମ୍ପର୍କରେ ବହୁ ଘଟଣାର ଅବତାରଣା କରାଯାଇଛି। ଜାଭା ଓ ବାଲିଦ୍ବୀପରେ ପ୍ରଚଳିତ କିମ୍ବଦନ୍ତୀରୁ ଜଣାଯାଏ ଯେ, ସର୍ବପ୍ରଥମେ କଳିଙ୍ଗର ହିନ୍ଦୁମାନେ ସେଠାରେ ବସତି ସ୍ଥାପନ କରିଥିଲେ। କଳିଙ୍ଗର ରାଜପୁତ୍ର ୧୫ରୁ ୨୦ ହଜାର ହିନ୍ଦୁ ପରିବାରଙ୍କୁ ବାଲି ଓ ଜାଭା ଦ୍ବୀପରେ ବସବାସ ପାଇଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ଭାରତର ଅନ୍ୟାନ୍ୟ ରାଜ୍ୟର ହିନ୍ଦୁମାନେ ଏଠାରେ ବସତି ସ୍ଥାପନ କରିଥିବା ଇତିହାସରୁ ଜଣାଯାଏ। ତେଣୁ ଏହିସବୁ ଦୃଷ୍ଟିକୋଣରୁ ଦେଖିଲେ ବାଲିଦ୍ବୀପରେ ହିନ୍ଦୁ ସଭ୍ୟତାର ବିକାଶ ପାଇଁ କଳିଙ୍ଗର ଦାନ ଅତୁଳନୀୟ। ସେମାନଙ୍କର ବେଶଭୂଷା, ଆଚାର ବ୍ୟବହାର, ପରିପାଟୀ, ପୂଜାବିଧି, ପର୍ବପର୍ବାଣି ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦିର ଓଡିଶା ସହ ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ବାଲି ଅଧିବାସୀ ‘ମା’ କୁ ସମ୍ବୋଧନ କରି ‘ବୁ’ ଏବଂ ଓଡିଆରେ କହନ୍ତି ‘ବୋଉ’। ଆମ ରାଜ୍ୟର ‘ଗୁଆ’ ବାଲିରେ ‘ବୁଆ’ ନାମରେ ପରିଚିତ। ଆମର ‘ଚିନାବାଦାମ’କୁ ବାଲିରେ ‘ଚିନା’ ବୋଲି କୁହାଯାଇଥାଏ।

ସେହିପରି ଓଡ଼ିଶାବାସୀଙ୍କ ପରି ଶାଗ ବିଶେଷ କରି ସଜନା ଶାଗ ବାଲି ଅଧିବାସୀଙ୍କର ଭାରୀ ପ୍ରିୟ। ସ୍ଥାନୀୟ ଅଧିବାସୀ ଓଡିଆଙ୍କ ପରି କଦଳୀ ମଞ୍ଜା ଓ ଭଣ୍ଡାକୁ ଖାଦ୍ୟରୂପେ ଗ୍ରହଣ କରିଥାନ୍ତି। ପୁନଶ୍ଚ ଓଡିଆଙ୍କ ପରି ନାନା ପ୍ରକାର ପିଠା, ମାଛ, ମାଛର ପତ୍ରପୋଡା ବି ଖାଇବାକୁ ସେମାନେ ଭଲ ପାଇଥାନ୍ତି। ଆମର ସମ୍ବଲପୁରୀ ଶାଢି ପରି ସେମାନେ ମଧ୍ୟ ଶାଢି ପ୍ରସ୍ତୁତ କରନ୍ତି ଓ ଶାଢି ତାଙ୍କର ଅତ୍ୟନ୍ତ ପ୍ରିୟ। ଏହିଥିରୁ ଜଣାଯାଏ ଯେ, ଆଜି ବି ଓଡିଶାର ଚଳଣି ସହ ବାଲିଦ୍ବୀପର କେତେ ସାମଞ୍ଜସ୍ୟ ରହିଛି। ତଥାପି ମଧ୍ୟ ସମୟର ସ୍ରୋତରେ ଏହି ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କରେ ଅନେକ କିଛି ବିଚ୍ଛେଦ ଦେଖିବାକୁ ମିଳୁଛି।
ବର୍ତ୍ତମାନ ଆମ ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ବିଭିନ୍ନ ବନ୍ଦରର ବିକାଶ ପାଇଁ ବହୁବିଧ ଉଦ୍ୟମ ଜାରି ରଖିଛନ୍ତି। ଏହି ବନ୍ଦରଗୁଡିକର ବିକାଶ ହୋଇପାରିଲେ ଅତୀତର ସ୍ମୃତିକୁ ପୁନରୁଦ୍ଧାର କରି ବାଲିଦ୍ବୀପ ସହ ଆମର ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କ ପୁନଃ ପ୍ରତିଷ୍ଠିତ ହୋଇପାରିବ ଏବଂ ଦୁଇ ଦେଶର ଗବେଷକ, ଐତିହାସିକ ଓ ନୂତତ୍ତ୍ବବିଦ୍‌ମାନଙ୍କର ଗବେଷଣା ନିମନ୍ତେ ପଥ ଉନ୍ମୁକ୍ତ ସୁଗମ ହୋଇପାରିବ।

-ଅମ୍ବ୍ରିତା ମିଶ୍ର

Share