Categories: ଜାତୀୟ

ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି: ସଞ୍ଜୟ ରାଉତ…

ମୁମ୍ବାଇ,୩।୬ : ବିଶ୍ୱାସଘାତକ ଲୋକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି। ଏପରିକି ସ୍ବାଧୀନତା ସଂଗ୍ରାମୀ ବୀର ସାବରକର ମଧ୍ୟ ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇଥିଲେ। ମୁଁ ଯାହା କରିଛି ସେଥିପାଇଁ କାହିଁକି ଏତେ ପାଟି ତୁଣ୍ଡ ହେଉଛି? ଏହା ହେଉଛି ବରିଷ୍ଠ ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କ ବିବୃତ୍ତି। ଯିଏ କି ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ନେତାଙ୍କ ନାମ ଶୁଣିବା ପରେ କ୍ୟାମେରାରେ ଛେପ ପକାଇବା ସହିତ ଏଭଳି କହିଛନ୍ତି।

ବାସ୍ତବରେ, ସଞ୍ଜୟ ରାଉତ ଶନିବାର ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନାଶିକରୁ ତ୍ରମ୍ବକେଶ୍ୱର ଯାଉଥିବାବେଳେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସଞ୍ଜୟ ରାଉତଙ୍କ ଏଭଳି କାର୍ଯ୍ୟ ପରେ ଏକନାଥ ଶିନ୍ଦେଙ୍କର ଶିବସେନା ନେତା ଓ କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶିନ୍ଦେ ସମର୍ଥକମାନେ ମହାରାଷ୍ଟ୍ରରେ ସଞ୍ଜୟ ରାଉତଙ୍କ ବିରୋଧରେ ‘ଜୋତା ମାରୋ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ତାଙ୍କ ଫଟୋ ଏବଂ ପୋଷ୍ଟରରେ ଜୋତା ଏବଂ ଚପଲ ପକାଯାଉଛି। କେତେକ ତାଙ୍କୁ ଜେଲ ପଠାଇବାକୁ ଦାବି କରୁଥିବାବେଳେ କେତେକ ତାଙ୍କ ବିରୋଧରେ କ୍ରୁରତା ମାମଲା ପଞ୍ଜିକରଣ କରିବାକୁ ଦାବି କରୁଛନ୍ତି। ଏଥିସହ କେହି କେହି ସଞ୍ଜୟ ରାଉତଙ୍କୁ କ୍ଷମା ମାଗିବାକୁ କହୁଛନ୍ତି। ସଞ୍ଜୟ ରାଉତଙ୍କ ମାନସିକ ସନ୍ତୁଳନ ଖରାପ ହୋଇଯାଇଛି ବୋଲି ଶିନ୍ଦେଙ୍କ ସମର୍ଥକ ଅଭିଯୋଗ ଆଣିଛନ୍ତି।

ସଞ୍ଜୟ ରାଉତ ଏହାର ଜବାବରେ କହିଛନ୍ତି ଅପେକ୍ଷା କର ଜନସାଧାରଣ ଶିନ୍ଦେ ଏବଂ ତାଙ୍କ ସମର୍ଥକଙ୍କୁ ଜୋତାରେ ପିଟିବେ। ବିଶ୍ୱାସଘାତକଙ୍କୁ ଜୋତାରେ ପିଟିବା ପାଇଁ ଜନସାଧାରଣ ନିର୍ବାଚନକୁ ଅପେକ୍ଷା କରିଛନ୍ତି। ଶିନ୍ଦେ ସମର୍ଥକମାନଙ୍କ ପାଖରେ କିଛି କାମ କି ଧନ୍ଧା ନାହିଁ। ସେମାନେ ବେକାର ବସି ଏଭଳି କରୁଛନ୍ତି। ଗଣତନ୍ତ୍ରରେ ସମସ୍ତଙ୍କର ଅଭିବ୍ୟକ୍ତିର ସ୍ବାଧୀନତା ଅଛି। ସେମାନେ ଯାହା ଚାହାଁନ୍ତି ତାହା ତାଙ୍କୁ କରିବାକୁ ଦିଅନ୍ତୁ। ଏଭଳି ବିଶ୍ୱାସଘାତକମାନେ ନିଜକୁ ନିକ ଜୋତାରେ ପିଟିିବା ଉଚିତ। ସେମାନେ ଶିବସେନା ପ୍ରତି ବିଶ୍ୱାସଘାତକତା କରିଥିଲେ। ଏଭଳି ଲୋକଙ୍କୁ କ୍ଷମା ଦିଆଯିବା ଉଚିତ ନୁହେଁ।

Share