Categories: ଜାତୀୟ

କଂଗ୍ରେସର ନାଁ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା!

ନୂଆଦିଲ୍ଲୀ,୨୮ ।୨: ହିନ୍ଦୁ ମହାସଭାର ନେତା କଂଗ୍ରେସର ସଦସ୍ୟତା ଗ୍ରହଣ କରିବା ପରେ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏବେ ହିନ୍ଦୁ ମହାସଭା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଳେଖିଥିବା ସୂଚନା ମିଳିଛି । ଯେଉଁଥିରେ ମହାସଭା ରାହୁଲଙ୍କୁ କିଛି ପରାମର୍ଶ ଦେଇଛି । ଏହାସହ କଂଗ୍ରେସର ନାମ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ବି ଦିଆଯାଇଛି । ତେବେ ମହାସଭାର ମହାମନ୍ତ୍ରୀ ବିନୋଦ ଯୋଶୀ ଏହି ପତ୍ର ଲେଖିଥିବା କୁହାଯାଉଛି । ସେ ଲେଖିଛନ୍ତି କଂଗ୍ରେସ ତା’ର ଭୁଲ ସ୍ୱୀକାର କରିଛି ଓ ଗାନ୍ଧୀଙ୍କୁ ହତ୍ୟା କରିଥିବା ଗଡ୍‌ସେଙ୍କ ବିଚାରଧାରାକୁ ବି ସ୍ୱୀକାର କରିଛି । ସେ କହିଛନ୍ତି ଗ୍ୱାୟାଲିୟରେ ନାଥୁରାମ ଗଡସେଙ୍କ ମନ୍ଦିର ନିର୍ମାଣ କଥା କହିଥିବା ବାବୁଲାଲ ଚୌରାସିଆ କେବଳ କଂଗ୍ରେସର ସଦସ୍ୟତା ନେଇ ପାରିଲେ । ଏଥିରୁ ସ୍ପଷ୍ଟ ହେଉଛି କି ଗାନ୍ଧୀବାଦୀ କଂଗ୍ରେସରେ ଏବେ ସାଧାରଣ ଜନତା ରହିବାକୁ ଚାହୁଁ ନାହାଁନ୍ତି । ସେଥିପାଇଁ ଦଳର ନାମ ପରିବର୍ତ୍ତନ କରି ‘ଗଡସେବାଦୀ କଂଗ୍ରେସ’ ରଖିବାକୁ ହିନ୍ଦୁ ମହାସଭା କହିଛି । ଏହାଦ୍ୱାରା ଦଳର ରାଜନୈତୀକ ସ୍ୱରୂପ ବଞ୍ଚିଯିବା ସହ ଗଡସେବାଦୀ ସଙ୍ଗଠନର ଶକ୍ତି ବଢିବ । ସୂଚନାଯୋଗ୍ୟ, ୨୬ ଫେବୃୟାରୀରେ ହିନ୍ଦୁ ମହାସଭା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥଙ୍କୁ ଏକ ପତ୍ର ଲେଖିଥିଲା । ଯେଉଁଥିରେ ଲେଖାଥିଲା କି ବାବୁଲାଲ ଚୌରାସିଆଙ୍କୁ କଂଗ୍ରେସରେ ସାମିଲ କରି ଦଳ ନାଥୁରାମ ଗଡସେଙ୍କ ବିଚାରଧାରାକୁ ସ୍ୱୀକାର କରିଛି । ଏହା ହିନ୍ଦୁ ମହାସଭାର ବିଜୟ ।

Share