ସୌଦି ଆରବରେ ଭାରତୀୟ ହିନ୍ଦୁଙ୍କ ମୃତଦେହକୁ ପୋତା ଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ,୧୬।୩ : ଦିଲ୍ଲୀ ହାଇକୋର୍ଟଙ୍କ ସାମ୍ନାକୁ ଆସିଛି ଏକ ବିଚିତ୍ର ମାମଲା। ସୌଦି ଆରବରେ ଜଣେ ଭାରତୀୟ ହିନ୍ଦୁଙ୍କୁ ଭୁଲ ବଶତଃ ମୁସଲିମ ପରମ୍ପରା ରୀତିନୀତିରେ ପୋତି ଦିଆଯାଇଛି। ମୃତ୍ୟୁ ପ୍ରମାଣପତ୍ରରେ ଧର୍ମ ପାଇଁ ନିର୍ଦ୍ଧାରିତ ସ୍ଥାନରେ ହିନ୍ଦୁ ବଦଳରେ ମୁସଲିମ ଲେଖାଯିବାରୁ ଏଭଳି ତ୍ରୁଟି ହୋଇଛି।

ମୃତକଙ୍କ ପତ୍ନୀ ଶବର ଅବଶିଷ୍ଟାଂଶକୁ ତୁରନ୍ତ ବାହାର କରି ଫେରାଇ ଆଣିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ଦିଗରେ ବୈଦେଶିକ ମନ୍ତ୍ରଣାଳୟ କେଉଁ କେଉଁ ପଦକ୍ଷେପ ନେଇଛି, ତା’ର ସମ୍ପୂର୍ଣ୍ଣ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ। ଏହାକୁ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଉଲ୍ଲେଖ କରିବା ସହ ଜଷ୍ଟିସ ପ୍ରତିଭା ଏମ୍‌. ସିଂ କହିଛନ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ଶବ ପାଇଁ ପତ୍ନୀ ଗତ ଜାନୁୟାରୀରୁ ଅଧିକାରୀଙ୍କ ନିକଟକୁ ଦୌଡ଼ୁଛନ୍ତି। ହିନ୍ଦୁ ରୀତିନୀତିରେ ଶବ ସତ୍କାର କରିବା ପାଇଁ ଶବକୁ ଭାରତ ଫେରାଇ ଆଣିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍‌।

Share