ରାମ ମନ୍ଦିର ପାଇଁ ୨୧୦୦ କିଲୋଗ୍ରାମ ଓଜନର ଘଣ୍ଟି ତିଆରି କରୁଛନ୍ତି ହିନ୍ଦୁ-ମୁସଲମାନ କାରିଗର

ଲକ୍ଷ୍ନୌ, ୯।୮: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିସାରିଛନ୍ତି। ଏବେ ମନ୍ଦିର ନିର୍ମାଣ କାମ ଆଗେଇ ଚାଲିବ। ଏହି ଅବସରରେ ଉତ୍ତର ପ୍ରଦେଶର ଜଣେ ଘଣ୍ଟି କାରିଗର ରାମ ମନ୍ଦିର ଲାଗି ଏକ ବିରାଟକାୟ ଘଣ୍ଟି ତିଆରି କରୁଛନ୍ତି। ଯାହାର ଓଜନ ୨୧୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଣ୍ଟିଂ କାରିଗରଙ୍କ ନାମ ଦାଓ ଦୟାଲ। ଏତେ ବଡ଼ ବିରାଟକାୟ ଘଣ୍ଟି ତିଆରି କରି ସେ ଏବେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଣେ ମୁସଲିମ୍‌ ବ୍ୟକ୍ତି ଏହି ଘଣ୍ଟିର ଡିଜାଇନ କରିଛନ୍ତି। ତାଙ୍କ ନାମ ଇକ୍‌ବାଲ ମିସ୍ତ୍ରୀ। ଏକ ସାକ୍ଷାତ୍‌କାର ଅବସରରେ ଘଣ୍ଟି କାରିଗର ଦୟାଲ କହିଛନ୍ତି, ‘ମୁସଲମାନ ଭାଇମାନଙ୍କ ଡିଜାଇନ, ପଲିସିଂ କରିବାରେ ବେଶ୍‌ ପାରଙ୍ଗମତା ରହିଛି। ପ୍ରଥମ ଥର ଲାଗି ସେ ଏହିଭଳି ବିରାଟକାୟ ଘଣ୍ଟି ନିର୍ମାଣ କରୁଛନ୍ତି। ଯେତେବେଳେ ଏହିଭଳି ଆକାରର ଘଣ୍ଟି ତିଆରି କରାଯାଏ ସେତେବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ମାସାଧିକ ସମୟ ଧରି ଚାଲିବାକୁ ଥିବା ଏହି ଘଣ୍ଟି ତିଆରି କାମରେ ଭୁଲ ହେବ ନାହିଁ ବୋଲି କୌଣସି ଗ୍ୟାରଣ୍ଟି ଦେଇହେବ ନାହିଁ।’ ଆମ ପାଇଁ ଏହା ଉତ୍ସାହଜନକ ବିଷୟ ଯେ, ଆମେ ରାମ ମନ୍ଦିର ପାଇଁ ଏହାକୁ ନିର୍ମାଣ କରୁଛୁ। ତେଣୁ ବିଫଳତାର ଭୟ ଆମ ମନରେ ନାହିଁ ବୋଲି ୫୦ ବର୍ଷୀୟ ଦୟାଲ କହିଛନ୍ତି। ସେହିଭଳି ୫୬ ବର୍ଷୀୟ ଇକ୍‌ବାଲ କହିଛନ୍ତି, ସବୁଠାରୁ ନିଆରା କଥା ହେଉଛି, ଉପରୁ ତଳ ପର୍ଯ୍ୟନ୍ତ ଏହା ଏକ ଅଟେ। ଅନେକ ଟୁକୁଡ଼ା ଖଣ୍ଡ ଏଥିରେ ଯୋଡ଼ାଯାଇ ନାହିଁ। କେବଳ ପିତ୍ତଳ ନୁହେଁ ଏହି ଘଣ୍ଟି ଅଷ୍ଟଧାତୁରେ ନିର୍ମିତ ହେଉଛି। ପିତ୍ତଳ ବ୍ୟତୀତ, ସୁନା, ରୂପା, ତମ୍ବା, ଜିଙ୍କ, ସୀସା, ଟିଣ, ଲୁହା ଧାତୁ ଏଥିରେ ମିଶିଛି। ହିନ୍ଦୁ ଓ ମୁସଲାମାନଙ୍କୁ ମିଶାଇ ୨୫ ଜଣ କାରିଗର ଦିନକୁ ୮ ଘଣ୍ଟା ପରିଶ୍ରମ କରି ଏହି ଘଣ୍ଟି ତିଆରି କରୁଛନ୍ତି। ପୂର୍ବରୁ ଦୟାଲ ୧୦୧ କେଜିର ଏକ ଘଣ୍ଟି ତିଆରି କରିଥିଲେ। ଯାହା ଏବେ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରରେ ବ୍ୟବହୃତ ହେଉଛି।

Share