Categories: ଜାତୀୟ

ମହଙ୍ଗା ପଡ଼ିଲା ଗାନ୍ଧିଜୀଙ୍କ ବିରୋଧରେ ମନ୍ତବ୍ୟ ଦେବା

ମୁମ୍ବାଇ, ୩୧।୧୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ହିନ୍ଦୁଧର୍ମ ନେତା କାଳୀଚରଣ ମହାରାଜଙ୍କୁ ଛତିଶଗଡ଼ ପୋଲିସ ଗୁରୁବାର ମଧ୍ୟପ୍ରଦେଶରୁ ଗିରଫ କରିଛି। ତାଙ୍କ ବିରୋଧରେ ୪ ଦିନ ପୂର୍ବରୁ ଏତଲା ଦାଏର ହୋଇଥିଲା। ଛତିଶଗଡ଼ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି। ସୂଚନା ଅନୁଯାୟୀ ହିନ୍ଦୁ ସନ୍ଥଙ୍କୁ ଗିରଫ କରିବା ଲାଗି ୩ ପୋଲିସ ଟିମ୍‌ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରକୁ ଯାଇଥିଲେ। ମଧ୍ୟପ୍ରଦେଶର ଖଜୁରାହୋସ୍ଥିତ ବାଗେଶ୍ୱର ଧାମ୍‌ରେ ଏକ ଭଡ଼ାଘରେ ରହୁଥିବା କାଳୀଚରଣଙ୍କୁ ଭୋର ୪ଟା ସମୟରେ ଗିରଫ କରାଯାଇଛି।

ଡିସେମ୍ବର ୨୫-୨୬ରେ ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କୁ ତିରସ୍କାର କରିବା ସହ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ୍‌ସେଙ୍କୁ ପ୍ରଶଂସା କରିଥିଲେ। କଂଗ୍ରେସ ନେତା ପ୍ରମୋଦ ଦୁବେଙ୍କ ଅଭିଯୋଗକ୍ରମେ ତାଙ୍କ ନାମରେ ଆଇପିସିର ଧାରା ୫୦୫(୨) ଏବଂ ୨୯୪ରେ ରବିବାର ରାତିରେ ମାମଲା ରୁଜୁ ହୋଇଥିଲା।

Share