ନ୍ୟୁୟର୍କ/ନୂଆଦିଲ୍ଲୀ,୨୪ା୧୨(ପି.ଟି.): ଆମେରିକାର କାଲିଫର୍ନିଆ ରାଜ୍ୟରେ ଥିବା ଏକ ଖ୍ୟାତନାମା ହିନ୍ଦୁ ମନ୍ଦିରକୁ ଭାରତ ବିରୋଧୀ ତତ୍ତ୍ୱମାନେ ବିକୃତ କରିଛନ୍ତି। ସମ୍ଭାବ୍ୟ ଘୃଣା ଅପରାଧକୁ ନେଇ ପୋଲିସ ତଦନ୍ତ ଚଳାଇଛି। ମନ୍ଦିର ଉପରେ ଆକ୍ରମଣକୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇବା ସହ ତଦନ୍ତ ଦାବି କରିଛି। ଭଙ୍ଗାରୁଜାକାରୀମାନେ ଖଲିସ୍ତାନ ସପକ୍ଷରେ ଏବଂ ଭାରତ ବିରୋଧରେ ସ୍ଲୋଗାନ ଦେଇଥିଲେ। ହିନ୍ଦୁ ଆମେରିକୀୟ ସଂଘ ସୋସିଆଲ ମିଡିଆ ଏକ୍ସ’ରେ ଏହି ଘଟଣା ଶେୟାର କରିବା ପରେ ଲୋକଲୋଚନକୁ ଆସିଛି। ନଓ୍ବୋର୍କରେ ଥିବା ସ୍ବାମୀନାରାୟଣନ ମନ୍ଦିର ବାସନା ସଂସ୍ଥାର ପ୍ରାଚୀରରେ ଦୁର୍ବୃତ୍ତମାନେ ରଙ୍ଗ ସ୍ପ୍ରେ କରି ସେଥିରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନମାନ ଲେଖିଛନ୍ତି। ଏଭଳି ଉଗ୍ରପନ୍ଥୀମାନଙ୍କୁ ଆଦୌ ସ୍ଥାନ ଦିଆଯିବା ଉଚିତ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସାନ୍ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜି୍ୟକ ଦୂତାବାସ ଏନେଇ ଆମେରିକା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ ଜାରି ରହିଛି। ସ୍ବାମୀନାରାୟଣନ ମନ୍ଦିରକୁ ବିକୃତ କରାଯିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ସେଠାର ଭାରତୀୟ କନ୍ସୁଲେଟ୍ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।