ନୂଆଦିଲ୍ଲୀ, ୨୫।୨: ମହିଳାଙ୍କ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଣେ ହିନ୍ଦୁ ମହିଳାଙ୍କ ବାପଘର ପରିବାର ସଦସ୍ୟଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇପାରିବ। ସେମାନଙ୍କୁ ବାହାର ଲୋକ ଭାବେ ଦେଖାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୧୫.୧.ଡି ଅନୁଯାୟୀ ମହିଳାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ବାପାଙ୍କ ପରିବାର ସଦସ୍ୟ ହୋଇପାରିବେ ବୋଲି ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଆର୍. ସୁଭାଷ ରେଡ୍ଡୀଙ୍କ ଖଣ୍ଡପୀଠ କହିଛନ୍ତି। ଏହି ଆଇନର ଧାରା ୧୩.୧.ଡିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ମହିଳାଙ୍କ ବାପାଙ୍କ ଉତ୍ତରାଧିକାରୀ ତାଙ୍କ ଉତ୍ତରାଧିକାରୀ ବିବେଚିତ ହୋଇପାରିବେ ଓ ସମ୍ପତ୍ତି ନେଇପାରିବେ। ଜଗ୍ନୋ ନାମ୍ନୀ ମହିଳାଙ୍କ ସ୍ବାମୀ ଶେର୍ ସିଂଙ୍କର ୧୯୫୩ରେ ମୃତ୍ୟୁ ହୋଇଥିଲା। ଜଗ୍ନୋଙ୍କର କେହି ପିଲା ନ ଥିଲେ। ତେଣୁ ଉତ୍ତରାଧିକାର ଆଇନର ଧାରା ୧୪ ଅନୁଯାୟୀ ସେ ସ୍ବାମୀଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥିଲେ। ଜଗ୍ନୋ ଉକ୍ତ ସମ୍ପତ୍ତିକୁ ତାଙ୍କ ଭାଇଙ୍କ ପୁଅ ନାଁରେ କରିଦେଇଥିଲେ। ୧୯୯୧ରେ ଭାଇଙ୍କ ପୁଅ ଗୁରଗାଁଓ ସବ୍ଜଜ୍ଙ୍କ କୋର୍ଟରେ ସିଭିଲ୍ ସୁଟ୍ କରି ଉକ୍ତ ସମ୍ପତ୍ତି ଉପରେ ଡିକ୍ରି ହାସଲ କରିଥିଲେ। ତେବେ ଶେର୍ ସିଂଙ୍କ ଭାଇମାନେ ଏହାର ପ୍ରତିବାଦ କରିବା ସହ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଳକୋର୍ଟ, ଜିଲା ଅଦାଲତ ଓ ହାଇକୋର୍ଟ ଆବେଦନ ଖାରଜ କରିଦେବା ପରେ ସେମାନେ ସୁପ୍ରିିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବାପାଙ୍କ ପରିବାର ମହିଳାଙ୍କ ଅପରିଚିତ ନୁହନ୍ତି। ସେମାନେ ମଧ୍ୟ ପରିବାରର ଅଂଶ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।