ନୂଆଦିଲ୍ଲୀ,୨୫।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ସପ୍ତାହେ ଊର୍ଦ୍ଧ୍ୱ ବିତିଯାଇଛି। ଏନେଇ ରାଜନେତିକ ବିତର୍କ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏକ ‘ତ୍ରିରଙ୍ଗା ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି।
କଡ଼ା ସୁରକ୍ଷା ମଧ୍ୟରେ ଶୋଭାଯାତ୍ରା ବାହାରି ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ନିବେଦନ କରାଯାଇଥିଲା। ଶୋଭାଯାତ୍ରାରେ ଉପସ୍ଥିତ କମିଟି କର୍ମକର୍ତ୍ତା ଜାତୀୟ ପତାକା ସହ ଆମ୍ବେଡକରଙ୍କ ଫଟୋ ପ୍ରଦର୍ଶନ କରିଥିଲେ। ଏପରିକି ହିଂସାର ବାଟ ଛାଡ଼ି ଶାନ୍ତି ରକ୍ଷାକରିବା ସହ ଭାଇଚାରା ସ୍ଥାପନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା। ଦୁଇ ସମ୍ପ୍ରଦାୟ ସଦସ୍ୟଙ୍କୁ ନେଇ ଏକ ମିଳିତ ଶାନ୍ତି କମିଟି ଗଠନ କରାଯାଇଛି। କମିଟି ପକ୍ଷରୁ ଜାହାଙ୍ଗୀରପୁରୀରେ ତ୍ରିରଙ୍ଗା ଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଉଭୟ ପକ୍ଷରୁ ୫୦ ଜଣ ଲେଖାଏଁ ସଦସ୍ୟ ଭାଗନେଇଥିବା ଉତ୍ତର-ପଶ୍ଚିମ ଦିଲ୍ଲୀ ଡିସିପି ଉଷା ରଙ୍ଗାନି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୧୬ରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଥିରେ ୮ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଥିଲେ।