Advertisement

ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତ

ବାରିପଦା ଅଫିସ,୩।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ୧୪୪ ଧାରା ଜାରି ସତ୍ତ୍ୱେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଏହି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୟୂରଭଞ୍ଜ ଜିଲା ସମେତ ପଡ଼ୋଶୀ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟରୁ ଭକ୍ତମାନେ ମା’ଙ୍କ ଦର୍ଶନ କରି କୃପା ଲାଭ କରିଥିଲେ। କୋଭିଡ୍‌ ନିୟମକୁ ମାନି ସମସ୍ତେ ପୂଜାର୍ଚ୍ଚନା ଓ ଦିଅଁ ଦର୍ଶନ କରିଥିଲେ।
ବିପଦରେ ପଡ଼ିଲେ ମା’ ସହାୟ ହୁଅନ୍ତି ବୋଲି ଭକ୍ତଙ୍କ ମନରେ ଅଗାଢ଼ ବିଶ୍ୱାସ ରହିଛି। ମାଡ଼ି ଆସୁଥିବା ବିପତ୍ତିକୁ ଦୂର କରିବା ସହିତ ମା’ଦୂରାରୋଗ୍ୟ ଓ ମନସ୍କାମନା ପୂରଣ କରିଥାନ୍ତି ବୋଲି ପଶ୍ଚମିବଙ୍ଗରୁ ଆସିଥିବା ଭକ୍ତ ସୁରେନ୍ଦ୍ର କୁଇଲା କହିିଛନ୍ତି। ସେହିପରି ଏହି ପୀଠରେ ଥିବା ଅଗ୍ନିକୁଣ୍ଡରେ ଭୋଗରାଗ ସମର୍ପଣ କଲେ ବର୍ଷସାରା ଅଗ୍ନିକାଣ୍ଡରୁ ମୁକ୍ତି ମିଳିଥାଏ ବୋଲି ମାଣତ୍ରୀ ଅଞ୍ଚଳର ପାର୍ବତୀ ସିଂ କହିଛନ୍ତି। ପୂର୍ବ ବର୍ଷମାନଙ୍କରେ ୬ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ଭକ୍ତଙ୍କ ସମାଗମ କମିଥିବା ଦେଖିବାକୁ ମିଳିଥିଲା। ସେହିପରି ଛେଳିଆ(କ) ଗ୍ରାମରେ ପୂଜା ପାଉଥିବା ମା’ଙ୍କ ପୀଠରେ ମଧ୍ୟ ପୂଜା କାର୍ଯ୍ୟ ସମାପନ ହୋଇଛି। ଉଭୟ ପୀଠରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହିତ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ୨ପ୍ଲାଟୁନ ଫୋର୍ସ, ୫୦ହୋମ୍‌ଗାର୍ଡ, ୨ଜଣ ଆଇଆଇସି, ଜଣେ ଏସ୍‌ଡିପିଓ ଏବଂ ୧୮ ପୋଲିସ ଅଫିସରଙ୍କ ସହିତ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହୋଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟ ସମାପନ ହୋଇଥିବାରୁ ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାଶ ପ୍ରଶାସନ, ପୋଲିସ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel