ପୁରୀ ଅଫିସ,୧।୩:ବାପା ଦିନମଜୁରିଆ। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ। ଫନୀ ମହାବାତ୍ୟା ପରଠାରୁ ପଲିଥିନ ତଳେ ବିତିଛି ଜୀବନ। ହେଲେ ରାଜନୀତି ପ୍ରତି ଥିବା ଆଗ୍ରହ ଓ ନିଷ୍ଠା ପାଇଁ ସେ ଆଜି ସାରା ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନାଁ ତାଙ୍କର ହୀରା ନାୟକ। ପୁରୀ ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ମାତ୍ର ୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ଯୁକ୍ତ ୩ ଶ୍ରେଣୀ ୩ୟ ବର୍ଷର ଛାତ୍ରୀ। ଫନୀ ବାତ୍ୟା ପରେ ସେ ରହୁଥିବା ଘରଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ବାତ୍ୟା ପରେ ନିଜ ଘର ଓ ଗାଁର ଜରାଜୀର୍ଣ୍ଣ ଅବସ୍ଥାକୁ ଦେଖି ବ୍ୟସ୍ତ ହୋଇପଡ଼ିଥିଲେ ହୀରା। ଏହାପରେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ହୀରା କହିଛନ୍ତି, ନିର୍ବାଚନ ଲଢ଼ିବା ବେଳେ ବିଜୟକୁ ନେଇ ଆଶଙ୍କାରେ ଥିଲି। ଶାସକ ଦଳର ଅର୍ଥବଳ ଆଗରେ ତିଷ୍ଠିବାର ଆଶଙ୍କା ଘାରିଥିଲା। ହେଲେ ଶେଷରେ ଗରିବ ଓ ଅସହାୟଙ୍କର ବିଜୟ ହୋଇଛି। ପାର୍ଟି ପଛ, ଗରିବଙ୍କ ସେବା ଆଗ। ଗାଁର ରାସ୍ତାଘାଟ ଓ ପାନୀୟଜଳ ଭଳି ମୌଳିକ ସମସ୍ୟାର ସମାଧାନ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ହୀରା କହିଛନ୍ତି। ସେହିଭଳି ଅଞ୍ଚଳରେ ହୀରାଙ୍କ ବିଜୟକୁ ନେଇ ଅନେକ ଚର୍ଚ୍ଚା। ପ୍ରତାପ ପୁରୁଷୋତ୍ତମପୁର ଗ୍ରାମର ବୁଦ୍ଧିଜୀବୀ ଦିବାକର ମିଶ୍ର କହିଛନ୍ତି, ତୃଣମୂଳ ସ୍ତରର ଜଣେ ପାଠୁଆ ଝିଅ ରାଜନୀତିକୁ ଆସି ଅଞ୍ଚଳ ପାଇଁ କାମ କରିବ ଏହି ଭରସାରେ ଲୋକେ ମତଦାନ କରିଛନ୍ତି। ହୀରା ଦୁଆର ଦୁଆର ବୁଲି ଭୋଟ ମାଗିବା ବେଳେ ଲୋକେ ତାଙ୍କୁ ସ୍ବାଗତ ଜଣାଇବା ସହ ସ୍ନେହ ଦେଉଥିଲେ। ତେବେ ନିର୍ବାଚନରେ ଅର୍ଥବଳ ଓ ବାହୁବଳ ଆଗରେ ହୀରା ତିଷ୍ଠିଯିବା ପ୍ରମାଣ କରୁଛି ଯେ, ଗଣତନ୍ତ୍ରରେ ପ୍ରକୃତ ପ୍ରାର୍ଥୀଙ୍କୁ ସୁଯୋଗ ମିଳିଛି।

Share