୬୨୬ ଫୁଟ୍‌ରେ ହୀରାକୁଦର ଜଳସ୍ତର: ପୁଣି ଖୋଲିପାରେ ଅଧିକ ଗେଟ୍‌

ସମ୍ବଲପୁର,୧୬ା୮(ବ୍ୟୁରୋ): ଉପର ମୁଣ୍ଡରେ ଲଗାଣ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ମଙ୍ଗଳବାର ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ରୁ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ଡ୍ୟାମ୍‌କୁ ୭ଲକ୍ଷ ୬୫ ହଜାର ୮୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ଲକ୍ଷ ୪୮ ହଜାର ୨୦୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଏଭଳି ସ୍ଥିତିରେ ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ଜଳସ୍ତର ୬୨୬ ଫୁଟ୍‌ରେ ପହଞ୍ଚିଛି। ଏନେଇ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରାଯାଉଛି। ଆଗକୁ ଡ୍ୟାମ୍‌ର ଅଧିକ ଗେଟ୍‌ ଖୋଲିବା ନେଇ ଆଲୋଚନା କରାଯାଉଛି। ଅନ୍ୟପକ୍ଷେ ସମ୍ବଲପୁର ସହରରେ ଡ୍ୟାମ୍‌ ଖୋଲିବା ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ଏପରି କି ଅପରାହ୍ନରେ ଡ୍ୟାମ୍‌ର ଗେଟ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି। ଏଭଳି ସ୍ଥିତିରେ କଟକ ମୁଣ୍ଡଳୀରେ ବିପଦ ସଙ୍କେତ ଟପିଛି ଜଳସ୍ତର। ଫଳରେ ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି।

Share