ତୁଷାରକାନ୍ତ
ପ୍ରଥମେ ଗପଟିଏ : ଜଣେ ମେଷପାଳକ ନିଜର ମଇଳା ଶରୀରଧାରୀ ମେଷ ବା ମେଣ୍ଢାଟିକୁ ବିକିବାପାଇଁ ତାକୁ ସାବୁନ ଇତ୍ୟାଦି ଲଗେଇ ଧୋଇଲା ବେଳେ ତା’ର ସବୁ ଲୋମ ଉପୁଡ଼ିଯାଇ ବିକ୍ରୟଯୋଗ୍ୟ ହୋଇପାରି ନ ଥିଲା, ଯାହା ‘ମେଣ୍ଢା ଧୋଉ ଧୋଉ ନିର୍ବାଳ’ ରୂପକ ଢଗଟିଏ ଜରିଆରେ ପ୍ରଚଳିତ। ସେହିପରି ଆମ ନେତାମାନେ ରାଜନୀତିରୁ ଅପରାଧୀମାନଙ୍କୁ ନିପାତ କରିବେ ବୋଲି ସ୍ଲୋଗାନ ଦେଇ ଆସି ଯାହା କରିଥାନ୍ତି, ତାହାର କିଛି ସଦ୍ୟତମ ତଥ୍ୟ ଉଦାହରଣ ସହ କୁହାଯାଉଛି। ଟେଲିକମ୍ ସମ୍ରାଟ ମିତ୍ତଲ ୨୦୦୯ରେ କହିଥିଲେ,”ମୋଦିଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ। ୨୦୧୩ ସେପ୍ଟେମ୍ବରରେ, ପରବର୍ତ୍ତୀ ସମୟରେ ରାଫାଲ ଚୁକ୍ତିର Offset Partner ବନିଥିବା ଅନୀଲ ଅମ୍ବାନୀ ମୋଦିଜୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ”ଲୋକଙ୍କ ଭଗବାନ୍, ନେତାଙ୍କ ନେତା ଓ ରାଜାଙ୍କ ରାଜା।“ ଅନ୍ୟତମ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଥିଲେ, ”ଗୁଜରାଟରୁ ଶିକ୍ଷା ନେଇ ଚାଇନା ପ୍ରଗତି କରିଛି ବୋଲି ଲୋକେ କହୁଛନ୍ତି।“ ୨୦୦୧ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଧୀରୁଭାଇ ଅମ୍ବାନୀ କହିଥିଲେ,”ମୋଦି ବହୁତ ବାଟ ଯିବେ।“ ନିଏଲସନ ସଂସ୍ଥା ତରଫରୁ ଇକୋନୋମିକ୍ସ ଟାଇମ୍ସ ପାଇଁ କରାଯାଇଥିବା ଆକଳନ ଅନୁଯାୟୀ, ଶିଳ୍ପକ୍ଷେତ୍ରର ୧୦୦ଜଣ ପ୍ରମୁଖଙ୍କ ଭିତରୁ ୮୦ଜଣ ମୋଦି ପ୍ରଧାନମନ୍ତ୍ରୀ ହେବା ଚାହିଁଥିଲେ। ପଶ୍ଚିମବଙ୍ଗର ସିଙ୍ଗୁରରେ ଗଣ୍ଡଗୋଳ ଘଟି ସେଠି ଟାଟାଙ୍କ ନାନୋ କାର୍ ଫ୍ୟାକ୍ର୍ଟି ହୋଇ ନ ପାରିବାର ପରିସ୍ଥିତିରେ ମୋଦି ୯୬ ଘଣ୍ଟାରେ ଗୁଜରାଟର ସାନନ୍ଦଠାରେ ତାହା କରାଇବାକୁ ଚୁକ୍ତି କରେଇଥିଲେ ଓ ରତନ ଟାଟା ତାଙ୍କୁ ଖୁସିରେ କୁଣ୍ଢେଇ ଧରିଥିଲେ।
୧୩ ସେପ୍ଟେମ୍ବର ୨୦୧୩ରେ ଗୋଆରେ ଅନୁଷ୍ଠିତ ଭାଜପା କାର୍ଯ୍ୟକାରିଣୀ ବୈଠକରେ ରାଜନାଥ ସିଂହ ଘୋଷଣା କରିଥିଲେ, ଭାଜପା ୨୦୧୪ ନିର୍ବାଚନ ଜିତିଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ଓ ଏହା ଗୃହୀତ ହୋଇଥିଲା। ତା’ପରେ ମୋଦି ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଭାଷଣ ଦେଇ ବିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ ଓ ଉପସ୍ଥିତ ଜନତାଙ୍କୁ ପଚାରୁଥିଲେ ‘ଏପରି ହେବା ଉଚିତ କି ନୁହେଁ’ ଓ ହଜାର ହଜାର ଜନତା ଏକସ୍ବରରେ ଉତ୍ତର ଦେଉଥିଲେ ‘ହଁ, ହଁ, ହଁ’। ୨୫ ଅକ୍ଟୋବର ୨୦୧୩ର The Economic Times Online ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଅନ୍ତର୍ଗତ ଝାନ୍ସୀର ଏକ ନିର୍ବାଚନୀ ସଭାରେ ମୋଦି କହିଥିଲେ, ”ଆପଣମାନେ କଂଗ୍ରେସ ଦଳକୁ ୬୦ବର୍ଷ କ୍ଷମତାସୀନ କରେଇଛନ୍ତି, ଭାଜପାକୁ ୬୦ମାସ ପାଇଁ କରାନ୍ତୁ। ଆମେ ଭାରତବର୍ଷର ଭାଗ୍ୟ ବଦଳେଇଦେବୁ ଏବଂ ୬୦ ମାସରେ ପ୍ରଗତି ଆଣିବୁ। ମୋତେ ପ୍ରଧାନମନ୍ତ୍ରୀ ନୁହେଁ, ଜଗୁଆଳି ରୂପେ ବାଛନ୍ତୁ, ମୁଁ ଭାରତର ଅର୍ଥ ଚୋରି କରିବାକୁ କାହାରିକୁ ପ୍ରଶ୍ରୟ ଦେବିନାହିଁ।“ ଲୋକେ ସମସ୍ବରରେ କହିଥିଲେ, ‘ବାଛିବୁ, ବାଛିବୁ’। ୩୦ ମାର୍ଚ୍ଚ ୨୦୧୪ରେ ମହାରାଷ୍ଟ୍ରର ସାନ୍ଦେଡ଼ରେ ମୋଦି ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ କହିଥିଲେ, ”ମୁଁ ଶାସନକୁ ଆସିଲେ ସ୍ବତନ୍ତ୍ର କୋର୍ଟ ତିଆରି କରି ଦୁର୍ନୀତିଗ୍ରସ୍ତ ଓ ଫୌଜଦାରି ମାମଲାରେ ଜଡ଼ିତ ସାଂସଦ, ବିଧାୟକ ଓ ନେତାମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରିବି। ଦଳ ଓ ମତ ନିର୍ବିଶେଷରେ କଂଗ୍ରେସ ସରକାର ଏ ବାବଦରେ କିଛି କରିନାହାନ୍ତି ଓ ଆଗ୍ରହୀ ବି ନାହାନ୍ତି।“ ୨୦୧୪ ଏପ୍ରିଲ ୧୫ରେ The Times of India Web Portalରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୁଜରାଟର ଅହମଦାବାଦ/ଲକ୍ଷ୍ମଣଗଡ଼ (ସିକରି) ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ମୋଦି କହିଥିଲେ, ”ମୋତେ ପାଞ୍ଚବର୍ଷ ପାଇଁ କ୍ଷମତା ଦେଲେ ମୁଁ ଭାରତୀୟ ରାଜନୀତିକୁ ଏକଦମ ସଫା କରିଦେବି, ଦଳ ଓ ମତ ବାଛବିଚାର ନ କରି ସଙ୍ଗିନ ଅଭିଯୋଗରେ ଅଭିଯୁକ୍ତ ସମସ୍ତଙ୍କୁ ଜେଲ ପଠେଇଦେବି।“ ଏବଂ ଏ ସବୁ ପ୍ରତିଶ୍ରୁତିର ଫଳ କ’ଣ ହୋଇଛି;
୧୯୯୯ରେ ପ୍ରତିଷ୍ଠିତ Association for Democratic Reforms ନାମକ ଏକ ସଂସ୍ଥାର ଆକଳନ ଅନୁଯାୟୀ, (୧)୨୦୧୯ରେ ଲୋକ ସଭାକୁ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରୁ ୪୩%ଙ୍କ ଉପରେ ସଙ୍ଗିନ ଓ ଫୌଜଦାରି ମାମଲା ରୁଜୁ ହୋଇଥିଲା। (୨)ଭାଜପାର ୩୦୩ ସାଂସଦଙ୍କ ମଧ୍ୟରୁ ୧୧୬ଜଣ ଓ କଂଗ୍ରେସର ୫୫ଜଣଙ୍କ ମଧ୍ୟରୁ ୨୯ଜଣଙ୍କ ନାମରେ ସଙ୍ଗିନ ଅପରାଧ ଥିଲା। ଜେଡିୟୁର ୧୩(୮୧%), ଡିଏମ୍କେର ୧୦ ଓ ତୃଣମୂଳ କଂଗ୍ରେସର ୯(୪୧%) ଥିଲେ। (୩) ଏହା ୨୦୧୪ ସଂସଦୀୟ ନିର୍ବାଚନ ତୁଳନାରେ ୨୬% ଅଧିକ। ୫୩୯ ଜଣ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୨୩୩ ଜଣ (୪୩%)ଙ୍କ ନାମରେ ସଙ୍ଗିନ ମାମଲା ଥିଲା, ଯେତେବେଳେ କି ୨୦୧୪ରେ ଏପରି ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ୧୮୫(୩୪%)ଥିଲା, ୨୦୦୯ରେ ୧୬୨(୩୦%) ପାଖାପାଖି ଥିଲା। (୪)୨୦୧୯ରେ ନିର୍ବାଚିତ ସାଂସଦମାନଙ୍କ ଭିତରୁ ୨୯%ଙ୍କ ନାମରେ ବଳାତ୍କାର, ହତ୍ୟା, ହତ୍ୟା ପାଇଁ ଧମକ ଦିଆଯିବା, ମହିଳାଙ୍କ ବିରୋଧରେ ହତ୍ୟା ଓ ଧମକ ଅଭିଯୋଗମାନ ଅଛି। (୫)୨୦୦୯ ତୁଳନାରେ ୨୦୧୯ରେ ସାଂସଦମାନଙ୍କ ନିଜ ମନୋନୟନପତ୍ରରେ ଘୋଷଣା ଅନୁଯାୟୀ, ସଙ୍ଗିନ ଅପରାଧୀଙ୍କ ସଂଖ୍ୟାରେ ୧୦୯% ବୃଦ୍ଧି ଘଟିଛି। (୬)ଭାଜପାର ୫ଜଣ, ବିଏସ୍ପିର ୨ଜଣ, ଏନ୍ସିପି/ଓ୍ବାଇଏସ୍ଆର୍ କଂଗ୍ରେସ (ଆନ୍ଧ୍ରପ୍ରଦେଶ) ଏବଂ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନାମରେ ହତ୍ୟା ଅଭିଯୋଗ ଅଛି। (୭)ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟମାନଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ନାମରେ ସଙ୍ଗିନ ମାମଲା ଥିବା ସେହି ବିଧାୟକମାନେ ନିଜ ଆଫିଡେଭିଟ୍ରେ ଜଣାଇଛନ୍ତି।
୨୦୨୧ ଅଗଷ୍ଟ ୨୪ରେ ଏକ ଜାତୀୟ ସ୍ତରର ଟିଭିରେ ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡ଼ା ଟିପ୍ପଣୀ ବାବଦରେ ଆଲୋଚନା ଚାଲିଥିବା ସମୟରେ ଜଣେ ଭାଜପା ପ୍ରବକ୍ତା କହିଥିଲେ, ”ନ୍ୟାୟ ଆଖିରେ ସମସ୍ତେ ସମାନ, ରାଜନେତାଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ବ୍ୟବସ୍ଥା କାହିଁକି।“ ଅର୍ଥାତ୍ ସେ ନିଜ ନେତା ମୋଦିଙ୍କ ଦ୍ୱାରା ପ୍ରଥମରୁ ବର୍ଣ୍ଣିତ ଘୋଷଣାର ବିରୁଦ୍ଧାଚରଣ କରିଥିଲେ। ରାଜନୀତିରୁ ଅପରାଧୀଙ୍କୁ ବିଦାକଲେ ‘ମେଣ୍ଢା ଧୋଉ ଧୋଉ ନିର୍ବାଳ’ ଭୟରେ ଏପରି କରାଯାଉ ନାହିଁ କି?
ମୋ : ୮୮୯୫୮୫୭୩୧୮