କଟକ,୩୧ା୩ (କାର୍ତ୍ତିକ ସାହୁ): ବିଦ୍ୟୁତ ଆଘାତରେ ମୃତ କଲେଜ ଛାତ୍ରଙ୍କ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପରିବାରବର୍ଗ। ମୃତ ଛାତ୍ର ଜଣକ ହେଲେ ଶିବାଜୀନଗର ଅଞ୍ଚଳର ନୀହାର ମାହାଲି। ସେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଛାତ୍ର।
ସୂଚନା ଅନୁସାରେ, ବିଦ୍ୟୁତ ଆଘାଜନିତ ଦୁର୍ଘଟଣାଟି ଶନିବାର ରାତ୍ରି ପ୍ରାୟ ୮ ଘଟିକା ସମୟରେ ଶିବାଜୀନଗରସ୍ଥିତ ନିଜ ବାସଭବନ ଘଟିଥିଲା। କୌଣସି କାରଣରୁ ନୀହାରଙ୍କ ଶରୀର ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ପୁତ୍ରକୁ ହରାଇବାର ଦୁଃଖରେ ମ୍ରିୟମାଣ ହୋଇଥିଲେ ବି ପରିବାର ଲୋକେ ତାଙ୍କର ଚକ୍ଷୁଦାନ କରିବାକୁ ଆଗେଇ ଆସିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାରବର୍ଗ ସେଠାରୁ ମୃତଦେହକୁ ଏସ୍ସିବି ମେଡିକାଲ ନେଇଥିଲେ। ଏସ୍ସିବିରେ ନିହାରଙ୍କ ଚକ୍ଷୁଦୁଇଟି ଦାନ କରାଯାଇଥିଲା। ତତ୍ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତ ନୀହାର ଜଣେ ସରଳ, ମିଷ୍ଟବାସୀ ଛାତ୍ର ଥିଲେ। ତାଙ୍କର ଅକାଳ ବିୟୋଗ ଖବର ଜାଣିବା ପରେ ରଘୁନାଥ ଜୀଉ କଲେଜ ଓ ଶିବାଜୀ ନଗରରେ ଶୋକ ପ୍ରକାଶ ପାଇଛି। ସତୀ ଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପିତା ପ୍ରଭାକର ମାହାଲି ମୁଖାଗ୍ନି ଦେଇଛନ୍ତି।
Posted inଆମ ଜିଲା ଖବର, କଟକ