ଗଞ୍ଜାମ,୧୧ା୩(ବିଦ୍ୟାଧର ସାହୁ)-ଗଞ୍ଜାମ ସହରରେ ଆରମ୍ଭ ହୋଇଛି ଐତିହାସିକ ଦୋଳ ଯାତ୍ରା। ସୋମବାର ଫାଲଗୁନ୍ ଶୁକ୍ଳ ଏକାଦଶୀ ତିଥିରେ ପ୍ରତ୍ୟେକ ସାହି ଠାକୁର ଦୋଳ ବିମାନରେ ବସି ସାହି ବୁଲିଥିଲେ। ଦୋଳ ଯାତ୍ରାକୁ ନେଇ ଗଞ୍ଜାମ ସହର ଏବେ ଚଳଚଞ୍ଚଳ ହୋଇଉଠିଛି। ଆଉ ଦିନକ ପରେ ସହରରେ ଦୋଳ ଯାତ୍ରା। ଏଭଳି ସମୟରେ ସହରକୁ ବାହାରୁ ଆସୁଥିବା ବହୁ ସଂଖ୍ୟକ ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ। ସାଧାରଣ ସମସ୍ୟା ସମାଧାନ ପାଇଁ ଏନଏସି କର୍ତ୍ତୃପକ୍ଷଙ୍କ ଆନ୍ତରିକତା ନାହିଁ। ଯାତ୍ରା ପୂର୍ବରୁ ହୋଇଥିବା ଶାନ୍ତି କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। କିନ୍ତୁ କିଛି ପଦକ୍ଷେପ ନିଆଯାଇନାହିଁ। ସହର ମଧ୍ୟରେ ଭଲ ଶୌଚାଳୟ ନାହିଁ। ମିନି ଷ୍ଟାଡିୟମ ଆଗରେ ଥିବା ଗୋଟିଏରେ ମହିଳା ପାଇଁ ଉଦ୍ଧିଷ୍ଟ ଶୌଚାଳୟରେ କବାଟ ନାହିଁ କି ପାଣି ମଧ୍ୟ ନାହିଁ। ଅନ୍ୟଗୁଡିକ ମଧ୍ୟ ଅନୁରୂପ ସମସ୍ୟାରେ ରହିଛି। ଫଳରେ ପ୍ରତ୍ୟେକ ଦିନ ସହରକୁ ଆସୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷକରି ମହିଳା ମାନେ ବେଶି ହଇରାଣ ହେଉଛନ୍ତି। ଏଥିସହ ଷ୍ଟ୍ରିଟ ଲାଇଟ ଗୁଡିକ ମଧ୍ୟ ଯାତ୍ରା ସମୟରେ ସଜଡା ଯାଇ ପାରିନି। କିଛି ସ୍ଥାନରେ ଏବେ ମଧ୍ୟ ଅନ୍ଧାରରେ ଠାକୁର ଯିବା ଆସିବା କରିବେ। ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।