Categories: ଖେଳ

କାନୋଇଂ, ଡେକାଥଲନରେ ଐତିହାସିକ ପଦକ

ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଡକୁ ଅଗ୍ରସର ହେଉଛି। ୨୦୧୮ ସଂସ୍କରଣରେ ସର୍ବାଧିକ ୭୦ ପଦକ ହାସଲ କରିଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ୬୯ ପଦକ ହାସଲ କରି ସାରିଛି ଦଳ। ମଙ୍ଗଳବାର କାନୋଇଂ ଓ କାୟାକିଂ ସହିତ ଡେକାଥଲନ ଇଭେଣ୍ଟରେ ଭାରତ ପଦକ ହାସଲ କରିଛି। କାନୋଇଂ ୧୦୦୦ ମିଟର ଡବଲ୍ସ ସ୍ପ୍ରିଣ୍ଟରେ ସୁନୀଲ ସିଂ ଓ ଅର୍ଜୁନ୍‌ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟ ୩:୫୩.୩୨୯ ସେକେଣ୍ଡର ସମୟ ନେଇ ପଦକ ବିଜୟୀ ହୋଇଥିବା ବେଳେ କାନୋଇଂ ଇଭେଣ୍ଟରେ ଏହା ଭାରତର ଦ୍ୱିତୀୟ ପଦକ। ଶେଷ ଥର ପାଇଁ ୧୯୯୪ର ହିରୋସୀମା ସଂସ୍କରଣରେ ଭାରତ ଏହାର ପ୍ରଥମ ପଦକ ହାସଲ କରିଥିଲା। ସମାନ ଇଭେଣ୍ଟରୁ ସିଜି ସଦାନନ୍ଦନ ଓ ଜନି ରୋମେଲ ଏହି ପଦକ ହାସଲ କରିତିଲେ। ଭାରତୀୟ ହାଇଜମ୍ପର ତେଜସ୍ବିନ ଶଙ୍କର ଏସିଆନ୍‌ ଗେମ୍ସରେ ପ୍ରଥମ ଥର ପାଇଁ ଡେକାଥଲନରେ ଭାଗ ନେଇ ଐତିହାସିକ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ହାଇଜମ୍ପରେ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜେତା ତେଜସ୍ବିନ୍‌ ମଙ୍ଗଳବାର ୭୬୬୬ ପଏଣ୍ଟ ସ୍କୋର ଜାତୀୟ ରେକର୍ଡ ଭାଙ୍ଗିବା ସହିତ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଅର୍ଜନ କରିଥିଲେ। ଡେକାଥଲନରେ ଏହା ଭାରତର ଦ୍ୱିତୀୟ ପଦକ। ଶେଷ ଥର ପାଇଁ ୧୯୭୪ ମସିହାରେ ବିଜୟ ସିଂ ଚୌହାନ ପ୍ରଥମ ତଥା ଏକମାତ୍ର ପଦକ ବିଜେତା ରହିଥିଲେ। ସେହିପରି ଭରତିନ୍ଦର ସିଂଙ୍କ ନାମରେ ରହିଥିବା ୭୬୫୮ ପଏଣ୍ଟର ଜାତୀୟ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି। ୧୫୦୦ ମିଟର ଦୌଡ ଇଭେଣ୍ଟରେ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
ପୁରୁଷ ୮୦୦ ମିଟର ଦୌଡ ଇଭେଣ୍ଟରେ ମହମ୍ମଦ ଅଫଜଲ ପୁଲିକ୍କାଲାକାଥ ମଧ୍ୟ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଅଫଜଲ ୧:୪୮.୪୩ ସେକେଣ୍ଡର ସମୟ ନେଇ ଦ୍ୱିତୀୟ ସ୍ଥାନରେ ରେସ୍‌ ସମାପ୍ତ କରିଥିଲେ। ସେହିପରି ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ ୧୬.୬୮ ମିଟରର ଜମ୍ପ ସହିତ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ୪୦୦ ମିଟର ବାଧାଦୌଡରେ ପି.ଟି. ଉଷାଙ୍କ ଜାତୀୟ ରେକର୍ଡର ସମକକ୍ଷ ହୋଇଥିବା ବିଦ୍ୟା ରାମରାଜ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିଦ୍ୟା ୫୫.୬୮ ସେକେଣ୍ଡର ସମୟ ସହ ତୃତୀୟ ସ୍ଥାନରେ ରହିଥିଲେ।

Share