ନ୍ୟୁୟର୍କ,୨୦।୧୧: ଆମେରିକାର ପଶ୍ଚିମ ନ୍ୟୁୟର୍କରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ଅଞ୍ଚଳର କେତେକ ସ୍ଥାନରେ ୬ଫୁଟ୍ ବରଫ ପୋତି ହୋଇରହିଛି। ଏନେଇ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଏପରିକି ବିମାନ ଚଳାଚଳକୁ ମଧ୍ୟ ବାତିଲ କରି ଦିଆଯାଇଛି। ତୁଷାରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି।
ତୁଷାରପାତରେ ପଶି ରହିଥିବା ୨୮୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ନ୍ୟୁୟର୍କ ଗଭର୍ନର କାଥି ହୋଚୁଲ୍ ସୂଚନା ଦେଇଛନ୍ତି। ତୁଷାରପାତ ସମୟରେ ଲୋକମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିଲା। ଜାତୀୟ ପାଣିପାଗ ସେବା ବିଭାଗ ସୂଚନା ଅନୁଯାୟୀ, ଅର୍ଚାର୍ଡ ପାର୍କରେ ୭୭ ଇଞ୍ଚ ବରଫ ପଡ଼ିଥିବା ବେଳେ ଓ୍ବାଟରଟାଉନ ନିକଟ ନାଚୁରାଲ ବ୍ରିଜ୍ ଅଞ୍ଚଳରେ ୭୨.୩ ଇଞ୍ଚ ବରଫ ପଡ଼ିଥିବା କୁହାଯାଇଛି। ଅନ୍ୟପକ୍ଷେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।