ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ରହିଛି ଏକାଧିକ ଗୁମ୍ଫା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା ଏହି ଗୁମ୍ଫାଗୁଡ଼ିକର ଐତିହାସିକ ଗୁରୁତ୍ୱ ଓ ବିଶେଷତ୍ତ୍ୱ ରହିଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରି ନାହିଁ। ଭୁବନେଶ୍ୱରଠାରୁ ୩୫ କି.ମି. ଦୂର ଜଙ୍ଗଲ ଭିତରେ ଏଭଳି କିଛି ଗୁମ୍ଫାକୁ ଠାବ କରିଛନ୍ତି ସେଣ୍ଟର ଫର୍ ରୁରାଲ ଟୁରିଜମ୍ ଆଣ୍ଡ୍ ଡେଭଲପ୍ମେଣ୍ଟ (ସିଆର୍ଟିଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡା। ଶୁକ୍ରବାର ଲଳିତଙ୍କ ସହ ଏକ ତିନିଜଣିଆ ଟିମ୍ ସେଠାରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁମ୍ଫାଗୁଡ଼ିକର ପ୍ରାଥମିକ ସର୍ବେକ୍ଷଣ କରିଥିଲେ। ଲଳିତଙ୍କ ଟିମ୍ ଡମପଡା ପ୍ରବେଶ ପଥରେ ପଶି ଗୁମ୍ଫା ନିକଟରେ ପହଞ୍ଚତ୍ ବିଭିନ୍ନ ସ୍ଥାନର ଫଟୋ ଉଠାଇବା ସହିତ ଭିଡିଓ ମଧ୍ୟ କରିଛନ୍ତି। ଏଥିସହ ଗୁମ୍ଫାଗୁଡ଼ିକର ସ୍ଥିତି, ଶିଳାଲିପିରୁ ଏସବୁ ପ୍ରାକ୍ ଐତିହାସିକ ଯୁଗର ବୋଲି ସେ ଦାବି କରିଛନ୍ତି।
ତାଙ୍କ ସୂଚନାନୁସାରେ, ଗୋଟିଏ ସ୍ଥାନରେ ପାଖାପାଖି ହୋଇ ତିନୋଟି ବଡ଼ ଗୁମ୍ଫା, ଶେଲ୍ଟର ବେଡ୍ (ଆଦି ମାନବମାନେ ଶୋଉଥିଲେ) ଓ ଏକ ବୃହତ୍ ଗୁମ୍ଫା ରହିଛି। ସ୍ଥାନୀୟ ଲୋକେ କେତେକ ଗୁମ୍ଫା ସହ ଚଳପ୍ରଚଳ ହେଉଥିଲେ ମଧ୍ୟ ସେଗୁଡ଼ିକର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ କିଛି ଜାଣି ନାହାନ୍ତି। ଗୋଟିଏ ଗୁମ୍ଫାର ଗର୍ତ୍ତ ବହୁତ ବଡ଼ ହୋଇଥିବାରୁ ଏହାକୁ ଅନ୍ଧାରି ଗୁମ୍ଫା ବୋଲି କୁହାଯାଉଛି। ଏହାକୁ ଲାଗି ଆଉ ଏକ ଗୁମ୍ଫା ରହିଛି। ସେହି ଗୁମ୍ଫାରୁ ଏକ ଜଳ ଉତ୍ସ ବାହାରି ଥିବା ଦେଖିବାକୁ ମିଳିଛି, ଯାହାକୁ ସ୍ଥାନୀୟ ଲୋକ ଶ୍ୱେତ ଗଙ୍ଗା ବୋଲି କହୁଛନ୍ତି। ଏହି ଝରର ପାଣି ଅତି ସ୍ବଚ୍ଛ। ଗୁମ୍ଫାଟି ଲମ୍ବା ସୁଡ଼ଙ୍ଗ ସଦୃଶ ହୋଇଛି। ତେଣୁ ସ୍ଥାନୀୟ ଲୋକମାନେ ଏଠାରେ ହୁଳହୁଳି ଓ ଘଣ୍ଟନାଦ କଲେ ଇନ୍ଦ୍ର ଦେବ ପ୍ରସନ୍ନ ହୋଇ ବୃଷ୍ଟି କରାଇଥା’ନ୍ତି ବୋଲି ଅଭୟାରଣ୍ୟ ମଧ୍ୟରେ ଥିବା ୫ଟି ରାଜସ୍ବ ଗାଁର ବାସିନ୍ଦା ମତ ଦେଇଛନ୍ତି। ପୁରାତନ କାଳରେ ନିଶ୍ଚିତ ଏହି ସ୍ଥାନରେ ଏକ ମାନବ ସଭ୍ୟତା ଥିବା ଜଣାପଡୁଛି। ସେହିପରି ମଧ୍ୟପ୍ରଦେଶର ଭୀମବେଟ୍କାର ଶିଳା ଚିତ୍ର ସହ ଏହାର ସାମଞ୍ଜସ୍ୟ ଥିବାରୁ ଏହି ଗୁମ୍ପାକୁ ପ୍ରାକ୍ ଐତିହାସିକ ସମୟର କୁହାଯାଇପାରିବ ବୋଲି ଲଳିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଗୁମ୍ଫାଗୁଡ଼ିକ ନୂତନ ପ୍ରସ୍ତର ଯୁଗର ହୋଇଥିବା ଅଧିକ ସମ୍ଭାବନା ରହିଛି। ଏଠାରେ ଫୁଲର ସାଙ୍କେତିକ ଚିତ୍ର ରହିଥିବା ଦେଖାଯାଇଛି। ଗବେଷକଙ୍କ ମତରେ ଏହା ୩୦୦୦ରୁ ୪୦୦୦ ଖ୍ରୀଷ୍ଟ ପୂର୍ବର ବୋଲି ସୂଚନା ମିଳୁଛି। ଏ ନେଇ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏସ୍ଆଇ)ର ଗବେଷକଙ୍କୁ ମଧ୍ୟ ମୁଁ ଅବଗତ କରିଛି। ତେବେ ସିଆର୍ଟିଡି ତରଫରୁ ମଧ୍ୟ ଆଗକୁ ଏଠାରେ ଅଧିକ ଗବେଷଣା ଜାରି ରଖିବୁ ବୋଲି ଲଳିତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚନ୍ଦକା ବାହାରେ ଅର୍ଥାତ୍ ଅଭୟାରଣ୍ୟକୁ ଲାଗି ରହିଥିବା ଅଞ୍ଚଳରେ ବହୁ ପୁରାତନ ଗୁମ୍ଫାକୁ ସିଆର୍ଟିଡି ପକ୍ଷରୁ ଠାବ କରାଯିବା ସହ ସେହି ସ୍ଥାନର ପୁରାତନ ସାଙ୍କେତିକ ଚିତ୍ରକୁ ସର୍ବସାଧାରଣରେ ଉନ୍ମୋଚନ କରାଯାଇଥିଲା। ସେଗୁଡ଼ିକ ହେଲା ଦୁଆର-ଖୋଲ, ବାଘ ଗୁମ୍ଫା, ଗୟଳ ବାଙ୍କରେ ଥିବା ଜାରିଆ ଗୁମ୍ଫା, ଚାଞ୍ଚଲ୍ୟ ଗୁମ୍ଫା, ପାଣ୍ଡବ-ବଖରା ଗୁମ୍ଫା, ଦକ୍ଷିଣ-କବାଟ ଗୁମ୍ଫା, କାଳିଆ-ତଳିଆ ଗୁମ୍ଫା, ନରହରି ଗୁମ୍ଫା, ହାଡ଼ୁ ଦାସ ଗୁମ୍ଫା ଓ ଅନାହତ ଗୁମ୍ଫା। ତେବେ ନୂଆକରି ଠାବ ହୋଇଥିବା ଗୁମ୍ଫାଗୁଡ଼ିକ ଚନ୍ଦକା ଅଭୟାରଣ୍ୟର କୋର୍ ଏରିଆରେ ଥିବାରୁ ଏହା ଉପରେ କାହାର ନଜର ପଡୁ ନ ଥିଲା। ଅଭୟାରଣ୍ୟ ସୀମା ବାହାରେ ଥିବା ଗୁମ୍ଫାଗୁଡ଼ିକରେ ଫୁଲ, ତେଣ୍ଟା, ନିଆଁ ଆଦି ସାଙ୍କେତିକ ଚିତ୍ର ରହିଥିବାବେଳେ ଅଭୟାରଣ୍ୟ ଭିତରେ ଥିତ୍ତ୍ବା ଏହି ପ୍ରାକ୍ ଐତିହାସିକ ଅନ୍ଧାରି-ଗୁମ୍ଫାରେ କେବଳ ଫୁଲର ଚିତ୍ର ଦେଖିବାକୁ ମିଳିଛି। ଏହି ଗୁମ୍ଫା ପ୍ରାକ୍-ଐତିହାସିକ ସମୟର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାଇତି ରଖିଥିବାରୁ ଏହାର ସଂରକ୍ଷଣର ଆଶ୍ୟକତା ରହିଛି। ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସଂରକ୍ଷଣ ଭାର ହାତକୁ ନେବା ସହ ଏହାକୁ ସଂରକ୍ଷିତ ପ୍ରାକ୍-ଐତିହାସିକ ଗୁମ୍ଫା ମାନ୍ୟତା ଦେବା ପାଇଁ ଲଳିତ ଦାବି କରିଛନ୍ତି।