ଦିନଥିଲା ପଥରକୁ ପଥର ଘଷି ନିଆଁ ଜଳା ଯାଉଥିଲା। ଯାହାକି ବେଶ୍ କଷ୍ଟକର କାମ ଥିଲା। ହଠାତ୍ ନିଆଁର ଆବଶ୍ୟକତା ପଡିଲେ ତାହା ପୂରଣ ହେଇପାରୁ ନ ଥିଲା। ତେଣୁ ଦିଆସିଲିର ଆବିଷ୍କାର ହେଲା। ଏକ ଛୋଟିଆ ବାକ୍ସ ଭିତରେ ଛୋଟ ଛୋଟ ବାରୁଦ ଲଗା କାଠି ନିଆଁର ଆବଶ୍ୟକତାକୁ ସବୁ ସମୟରେ ପୂରଣ କରିପାରିଲା। ଜିନିଷଟି ଛୋଟିଆ ହେଲେ ବି ତାହା ବେଶ୍ ଜରୁରୀ ପାଲଟିଗଲା।
ଏମିତିକି ଆଜିକାର ଆଧୁନିକ ଯୁଗରେ ବି ଏହାର ଚାହିଦା କମିନି। ଜାଣିବା ସେଇ ଦିଆସିଲିର ଇତିହାସ ସମ୍ପର୍କରେ..
୧୯୭ ବର୍ଷ ପୂର୍ବେ ୧୮୨୬ରେ ବ୍ରିଟେନର କେମିଷ୍ଟ ଓ ଡ୍ରଗିଷ୍ଟ ଜନ୍ ଓ୍ବାକର୍ ଦିଆସିଲିର ଆବିଷ୍କାର କରିଥିଲେ। ପଥରକୁ ଘଷି ନିଆଁ ଜଳାଇବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ତାକୁ ଦିଆସିଲିର ରୂପ ଦେବାକୁ ସେ ହିଁ ପ୍ରଥମେ ଚିନ୍ତା କରିଥିଲେ। ଆଉ ଏମିତି ଏକ ବାରୁଦ ଲଗା ଛୋଟ କାଠି ତିଆରି କରିବାରେ ସଫଳ ହେଲେ ଯାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳିଲା। ହେଲେ ପ୍ରାରମ୍ଭିକ ସମୟରେ ଏହା ଘାତକ ସିଦ୍ଧ ହୋଇଥିଲା। ବିପଜ୍ଜନକ ବିସ୍ଫୋଟ ବି ଘଟିଥିଲା। ଆଉ ଅନେକେ ଆହତ ବି ହୋଇଥିଲେ। ତେବେ ଏଭଳି ହେବା ପଛର କାରଣ ଥିଲା- ଦିଆସିଲି କାଠିର ଉପରଭାଗର ବାରୁଦରେ ସେତେବେଳେ ସେ ଆଣ୍ଟିମନି ସଲ୍ଫାଇଡ୍, ପଟାସିୟମ କ୍ଲୋରେଟ,ଷ୍ଟାର୍ଚ ଓ ଅଠାର ମିଶ୍ରଣ ବ୍ୟବହାର କରିଥିଲେ। ମିଶ୍ରଣଟି ସୁଖିଗଲା ପରେ ତାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳି ଉଠୁଥିଲା। ହେଲେ ବିସ୍ଫୋଟ କରାଉଥିଲା। ଆଉ ବିସ୍ଫୋଟ ପରେ ଦୁର୍ଗନ୍ଧ ବି ହେଉଥିଲା। ସେ ନିଜର ଏହି ଆବିଷ୍କାରକୁ ପେଟେଣ୍ଟ କରାଇ ନ ଥିଲେ। କେବଳ ଲୋକଙ୍କୁ ଦେଖାଉଥିଲେ। ୧୮୨୭ରେ ସେ ନିଜର ଏହି ଦିଆସିଲିକୁ ବଜାରରେ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଶେଷ ସଫଳତା ମିଳିଲା ନାହିଁ। ୧୮୩୧ରେ ଫ୍ରାନ୍ସର ଚାର୍ଲସ ସୌରିୟା ଧଳା ଫସଫରସ୍ ବ୍ୟବହାର କରି ଦିଆସିଲି ତିଆରି କଲେ। ଏହାଦ୍ୱାରା ଦିଆସିଲି କାଠି ଜଳିବା ସହଜ ହେଲା। ଜଳିବା ପରେ ବାହାରୁଥିବା ଦୁର୍ଗନ୍ଧ ବି ଦୂର ହେଇଗଲା। କିନ୍ତୁ ଆଉ ଏକ ସମସ୍ୟା ସୃଷ୍ଟି ହେଲା। ସେଥିରୁ ନିର୍ଗତ ଧୁଆଁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଥିଲା। ତେବେ ବି ଏହାର ବ୍ୟବହାର ଅନେକ ବର୍ଷ ପର୍ଯ୍ୟନ୍ତ ହେଲା। ୧୮୪୪ରେ ସ୍ବୀଡେନର ଗୁସ୍ତାଫ ପାସ୍ ଓ ୧୮୫୫ରେ ସ୍ବୀଡେନର ଜେଇ ଲୁଣ୍ଡଷ୍ଟର୍ମ ସୁରକ୍ଷିତ ଦିଆସିଲି ତିଆରି କଲେ। ଯେଉଁଥିରେ ଲାଲ ଫସଫରସ୍ର ବ୍ୟହାର କରାଯାଇଥିଲା। ଆଉ ତାହା ସଫଳ ବି ହେଲା। ଏବେ ମଧ୍ୟ ଦିଆସିଲିରେ ଏହି ରସାୟନର ବ୍ୟବହାର କରାଯାଉଛି। ଦିଆସିଲିର କାଠି ବିଭିନ୍ନ ପ୍ରକାରର କାଠରେ ତିଆରି ହୋଇଥାଏ। ତେବେ ସବୁଠୁ ଭଲ ଦିଆସିଲି କାଠି ଆଫ୍ରିକୀୟ ବ୍ଲାକ୍ ଉଡ୍ ଗଛରୁ ତିଆରି ହୋଇଥାଏ। ପାଲ୍ପର୍ ନାମକ ଗଛର କାଠକୁ ବି ଦିଆସିଲି କାଠି ତିଆରି ପାଇଁ ବ୍ୟବହାର କରାଯାଏ। ଭାରତରେ ୧୯୨୬ରେ ଶିବକାଶୀର ଏ. ଶାନମୁଗା ନାଦାର ଓ ପି. ଅୟା ନାଦାର ଦୁଇ ସମ୍ପର୍କୀୟ ଭାଈ ଗାନ୍ଧିଜୀଙ୍କ ସ୍ବଦେଶୀ ମନ୍ତ୍ରକୁ ଆପଣେଇ କାକା ମ୍ୟାଚ ଇଣ୍ଡଷ୍ଟ୍ରୀ ଓ ଅନିଲ ମ୍ୟାଚ ଫ୍ୟାକ୍ଟୋରୀ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଦିଆସିଲି ବିଦେଶରୁ ଆମଦାନୀ ହେଉଥିଲା। ପରେ କିଛି ବିଦେଶୀ କମ୍ପାନୀ ମଧ୍ୟ ଭାରତରେ ପ୍ଲାଣ୍ଟ ଆରମ୍ଭ କରିଦେଇଥିଲେ।