Categories: ଜାତୀୟ

ଇତିହାସ ରଚିବେ ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୧୪।୭: ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ବଜେଟ ୨୦୨୪-୨୫ ଉପସ୍ଥାପନ କରିବେ। ଏହା ସହ ଅର୍ଥମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିବା ସୀତାରାମନ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହା ସହିତ ସେ ମୋରାରଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇବେ। ମୋରାରଜୀ ଦେଶାଇ କ୍ରମାଗତ ୬ଥର ବଜେଟ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ସୀତାରାମନଙ୍କ ପୂର୍ବରୁ ମୋରାରଜୀ ଦେଶାଇ ପାଞ୍ଚଟି ପୂର୍ଣ୍ଣ ବଜେଟ ଏବଂ ଗୋଟିଏ ମଧ୍ୟବର୍ତ୍ତୀ ବଜେଟ ଉପସ୍ଥାପନ କରିଥିଲେ। ମୋରାରଜୀ ଦେଶାଇ ୧୯୫୯ ରୁ ୧୯୬୪ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ନିଜେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଏଥର ବଜେଟ ଅଧିବେଶନ ଜୁଲାଇ ୨୨ ରୁ ଆରମ୍ଭ ହେବ, ଯାହା ଅଗଷ୍ଟ ୧୨ପର୍ଯ୍ୟନ୍ତ ଚାଲିବ। ଏଥି ସହିତ ନିର୍ମଳା ସୀତାରାମନ କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବେ।
ସୂଚନା ଅନୁଯାୟୀ, ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଏହା ହେଉଛି ପ୍ରଥମ ପୂର୍ଣ୍ଣ ବଜେଟ। ଏଥି ସହିତ, ଏହି ସମୟର ବଜେଟରୁ ଏହା ଇନଫ୍ରା, ଇଭି ସେକ୍ଟର ଏବଂ ଏମଏସଏମଇ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେବ ବୋଲି ଆଶା କରାଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲଗାତାର ୫ଥର ବଜେଟ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପି ଚିଦାମ୍ବରମ, ମନମୋହନ ସିଂ ଏବଂ ଯଶୱନ୍ତ ସିହ୍ନାଙ୍କୁ ପଛରେ ଛାଡି ସାରିଛନ୍ତି। ସୂଚନା ମୁତାବକ ୨୦୧୯ରେ ନିର୍ମଳା ସୀତାରାମନ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ବଜେଟ ଭାଷଣ ଉପସ୍ଥାପନ କରିଥିଲେ।

Share