ହିଟ୍‌ ଆଣ୍ଡ ରନ୍‌: ଅଜଣା ଗାଡି ଧକ୍କାରେ ୨ମୃତ

କୁଚିଣ୍ଡା,୪।୧୦(ବିରଞ୍ଚି ଦର୍କା): କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ବୁଧବାର ଭୋର ପ୍ରାୟ ୫ଟା ସମୟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ପଣ୍ଡରିକଟା ଗ୍ରାମର ଦଧି ଦର୍କା(୭୦) ଓ ପାରୁଆଭାଡି ଗ୍ରାମର ମୁକ୍ତେଶର ଧାନ (୨୭)। ଦୁଇଜଣ ସକାଳୁ ଶୌଚ ପାଇଁ କୁଚିଣ୍ଡା-ବାମରା ୨୪ନମ୍ବର ରାଜପଥର ବାମ ପାର୍ଶଦେଇ ଯାଉଥିଲେ । ହଠାତ ବାମରା ପଟୁ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଉଭୟଙ୍କ ଉପରେ ଚଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇଯାଇଛି।

ଖବରପାଇ ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳକୁ ଆସି କୁଚିଣ୍ଡା ଆଇଆଇସି ଦିଲିପ ସାଇଁ ଓଚ ଏସଡିପିଓ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଉଭୟ ମୃତକଙ୍କ ପରିବାରଙ୍କୁ ୧୦ହଜାର ଟଙ୍କା ଲେଖାଏଁ ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ହରିଶ୍ଚନ୍ଦ୍ର ଯୋଜନା ସହାୟତାରେ ମୃତ ମୁକ୍ତେଶରଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ସାଙ୍ଗକୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ଓ ତାଙ୍କ ଅନାଥ ଶିଶୁଙ୍କ ପାଠପଢା ପାଇଁ ପ୍ରାଥମିକତା ଦେବା, ରାସ୍ତାରେ ହମ୍ପ୍ସ କରାଯିବା ଓ ଦୁର୍ଘଟଣା ଘଟାଇଥିବା ଗାଡିକୁ ଟ୍ରାକିଂ କରି ପଦକ୍ଷେପ ନିଆଯିବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।