Categories: ଜାତୀୟ

କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର: ଦୁର୍ନୀତି ଅଭିଯୋଗର ତଦନ୍ତ ଆଦେଶ ଦେଲେ କଂଗ୍ରେସ ସରକାର…

ବେଙ୍ଗାଲୁରୁ,୩୦।୫ : କର୍ନାଟକରେ କଂଗ୍ରେସ ସରକାର କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର ଆରମ୍ଭ କରିଛନ୍ତି। ଭାଜପା ଶାସନ ସମୟରେ କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ (କେକେଆରଡିବି)ରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି। ଏ ସମ୍ପର୍କରେ କର୍ନାଟକ ସରକାରଙ୍କ ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେ ଅଭିଯୋଗ କରିଛନ୍ତି। ଏହା ପରେ କଂଗ୍ରେସ ସରକାର ଏହି ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି କେବଳ କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ ନୁହେଁ ବରଂ ଏଭଳି ଅନେକ ସ୍କାମ ଭାଜପା ସରକାରଙ୍କ ସମୟରେ ଘଟିଛି। ଆମେ ନ୍ୟାୟ କରିବୁ ଏବଂ ଶୀଘ୍ର ସମସ୍ତ ସ୍କାମରେ ତଦନ୍ତ ନିର୍ଦ୍ଦେଶ ଦିଆଯିବ।

କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ ପୂର୍ବରୁ ହାଇଦ୍ରାବାଦ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ ଭାବରେ ଜଣାଶୁଣା ଥିଲା। ଏହା ୨୦୧୩ ମସିହାରେ ଗଠିତ ହୋଇଥିଲା ଏବଂ ବିଦର, ବେଲାରୀ, କାଲାବୁରାଗି, କପାଲ, ରାଇଚୁର ଏବଂ ୟାଦଗିର ଜିଲାର ବିକାଶ ଦାୟିତ୍ୱ ଏବଂ ୪୦ ଟି ବିଧାନସଭାର ବିକାଶ ଏହି ବୋର୍ଡରେ ଉପରେ ନ୍ୟସ୍ତ ଅଛି।

କିଛି ମାସ ପୂର୍ବେ ସାମାଜିକ କାର୍ଯ୍ୟକର୍ତ୍ତା ଗୁରୁନାଥ ଭଦ୍ଦେ କେକେଆରଡିବିରେ ଦୁର୍ନୀତି ଘଟିଥିବା ଅଭିଯୋଗ କରି ଏହାର ସିବିଆଇ ତଦନ୍ତ ଦାବି କରିଥିଲେ। ବୋର୍ଡ ତରଫରୁ ଟେଣ୍ଡର ପ୍ରଦାନରେ ଦୁର୍ନୀତି ହୋଇଥିବା ଭଦ୍ଦେ ତାଙ୍କ ଅଭିଯୋଗରେ କହିଥିଲେ। ଏଥିସହ ବୋର୍ଡକୁ ଦିଆଯାଇଥିବା ଅର୍ଥର ପରିମାଣ ଖର୍ଚ୍ଚ ହୋଇନାହିଁ ବୋଲି କୁହାଯାଇଥିଲା। ବୋର୍ଡ ଅଧୀନରେ କରାଯାଇଥିବା କାର୍ଯ୍ୟର ଗୁଣବତ୍ତା ଖରାପ ଥିବା ସହିତ ପାଣ୍ଠି ବଣ୍ଟନରେ ଭେଦଭାବ ହୋଇଥିବା ଅଭିଯୋଗ ଆସିଥିଲା। ବୋର୍ଡ ବୈଠକ ଡାକିବାରେ ନିୟମକୁ ଅଣଦେଖା କରିବା ଏବଂ ବିକାଶ କାର୍ଯ୍ୟର ଅଡିଟ ନ କରିବା ଅଭିଯୋଗ ହୋଇଥିଲା।

 

Share