ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ହିଟଲରଙ୍କ ଏଣ୍ଟ୍ରି…

ମସ୍କୋ/କ୍ୱିଭ୍‌, ୪।୫ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଏବେ ନାଜିର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଏଣ୍ଟ୍ରି ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଓ୍ବ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହିଟଲରଙ୍କ ସହ ତୁଳନା କରି ଏକ ବିବାଦ ସୃଷ୍ଟି କରିଛନ୍ତି। ଲାଓ୍ବରୋଓ୍ବ କହିଛନ୍ତି ଯେ ଉଭୟ ହିଟଲର ଏବଂ ଜେଲେନସ୍କି ନାଜି ଏବଂ ସେମାନଙ୍କଠାରେ ଇହୁଦୀ ରକ୍ତ ଅଛି। ଲାଓ୍ବରୋଓ୍ବଙ୍କ ଏହି ବିବୃତ୍ତି ଉପରେ ଇସ୍ରାଏଲ, ଆମେରିକା ଏବଂ ୟୁକ୍ରେନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଇସ୍ରାଏଲର ବେଦେଶିକ ମନ୍ତ୍ରୀ ୟାୟର ଲାପିଡ କହିଛନ୍ତି ଯେ ଲାଓ୍ବରୋଓ୍ବଙ୍କ ମନ୍ତବ୍ୟ ଅପମାନଜନକ ଏବଂ କ୍ଷମା ଯୋଗ୍ୟ ନୁହେଁ। ଏହା ମଧ୍ୟ ଏକ ଭୟଙ୍କର ଐତିହାସିକ ଭୁଲ। ଏନେଇ ଇସ୍ରାଏଲ ରୁଷିଆର ରାଷ୍ଟ୍ରଦୂତଙ୍କୁ ଡକାଇ ଏହାର ସ୍ପଷ୍ଟୀକରଣ ମାଗିଛି।

ଆମେରିକା କହିଛି ଏହି ବିବୃତ୍ତି ଘୃଣ୍ୟ। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ ଲାଓ୍ବରୋଓ୍ବଙ୍କ ମନ୍ତବ୍ୟ ଇହୁଦୀମାନଙ୍କ ପ୍ରତି ଘୃଣାକୁ ଦର୍ଶାଉଛି। ଏଥି ସହିତ ଆମେରିକାର ଆଇନଜୀବୀ ଚକ ଶୁମର କହିଛନ୍ତି ଯେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଯଥାର୍ଥ ପ୍ରମାଣ କରିବାକୁ ଚେଷ୍ଟା କରି ରୁଷିଆ କାହାକୁ ବୋକା ବନାଇ ପାରିବ ନାହିଁ। ରୁଷିଆର ଅପରାଧକୁ ବିଶ୍ୱସ୍ତରରେ ସଭିଏଁ ଦେଖୁଛନ୍ତି। ଲାଓ୍ବରୋଓ୍ବଙ୍କ ମନ୍ତବ୍ୟ ନିନ୍ଦନୀୟ। ତାଙ୍କର ଶବ୍ଦ ଅସତ୍ୟ ଏବଂ ଉଦ୍ଦେଶ୍ୟ ଭୁଲ ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫାଲୀ ବେନେଟ୍ଟ।

Share