Categories: ଖେଳ

ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ପୂର୍ବରୁ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଏପରି କରିପାରି ନ ଥିଲେ

ଧର୍ମଶାଳା,୨୨।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ୪୦ ବଲରେ ୪୬ ରନ ଖେଳିଥିଲେ। ସେ ନିଜ ଇନିଂସରେ ୪ ଚୌକା ଓ ୪ ଛକା ମାରିଥିଲେ। ଏଥି ସହିତ ରୋହିତ ଶର୍ମା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ରୋହିତ ଶର୍ମା ଏକ କ୍ୟାଲେଣ୍ଡର ବର୍ଷରେ ୫୦ ଛକା ମାରିଥିବା ତୃତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ରୋହିତ ଶର୍ମା ଦିନିକିଆ ଫର୍ମାଟରେ ୫୨ ଛକା ମାରିଛନ୍ତି। ରୋହିତ ଶର୍ମାଙ୍କ ପୂର୍ବରୁ କେବଳ କ୍ରିସ ଗେଲ ଏବଂ ଏବି ଡି ଭିଲିୟର୍ସ ଏକ କ୍ୟାଲେଣ୍ଡର ବର୍ଷରେ ୫୦ ଛକା ହାସଲ କରିଥିଲେ।
ଏହି ସଫଳତା ହାସଲ କରିବାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ ଏବି ଡି ଭିଲିୟର୍ସ ପ୍ରଥମ ହୋଇଥିଲେ। ୨୦୧୫ରେ ଏବି ଡି ଭିଲିୟର୍ସ ୫୯ ଛକା ମାରିଥିଲେ। ଏହା ପରେ ୱେଷ୍ଟଇଣ୍ଡିଜର ପୂର୍ବତନ ଖେଳାଳି କ୍ରିସ ଗେଲ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୫୦ ଛକା ହାସଲ କରିଥିଲେ। ୨୦୧୯ରେ କ୍ରିସ ଗେଲ ୫୬ ଛକା ମାରିଥିଲେ। ତେବେ ଏହି ବିଶ୍ୱକପରେ ଏବି ଡି ଭିଲିୟର୍ସ ଏବଂ କ୍ରିସ ଗେଲଙ୍କୁ ପଛରେ ପକାଇ ଦିଆଯାଇପାରେ।

Share