Categories: ଖେଳ

ହୃଦୟ ଜିତିଲେ ହିଟ୍‌ମ୍ୟାନ୍‌

ଗୁଆହାଟୀ,୧୧।୧: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ରେ ଖେଳ ଭାବନା ଦେଖାଇ ରୋହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି।
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନନ୍‌-ଷ୍ଟ୍ରାଇକର ଏଣ୍ଡ୍‌ରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକାଙ୍କୁ ଆଉଟ କରିଥିଲେ। ରୋହିତ ତାଙ୍କୁ ଆଉଟ୍‌ ନ କରିବା ପାଇଁ ‘ମଙ୍କଡିଂ’ ଆଉଟ୍‌ ଆବେଦନକୁ ଫେରାଇ ନେଇଥିଲେ। ଏହା ପରେ ଶାନାକା ତାଙ୍କ ପାଖକୁ ଯାଇ ହାତ ମିଳାଇଥିଲେ। ଏହି ପୂରା ଘଟଣା ମ୍ୟାଚର ଶେଷ ଓଭରରେ ଦେଖିବାକୁ ମିଳିଥିଲା। ୯୮ ରନ୍‌ରେ ଶାନାକା ଅପରାଜିତ ଥିବାବେଳେ ଶାମି ଚତୁର୍ଥ ବଲକୁ ବୋଲିଂ କରିବାକୁ ଆଗେଇ ଆସିଲେ, ସେତେବେଳେ ସେ ନନ୍‌-ଷ୍ଟ୍ରାଇକର ଏଣ୍ଡ୍‌ରେ ଶାନାକାଙ୍କୁ କ୍ରିଜରୁ ବାହାର ଆସୁଥିବାର ଦେଖି ତାଙ୍କୁ ଆଉଟ୍‌ କରିଥିଲେ।
ଫିଲ୍ଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ। ରୋହିତ କିନ୍ତୁ ଫିଲ୍ଡ ଅମ୍ପାୟାରଙ୍କ ନିକଟକୁ ଯାଇ ତାଙ୍କୁ ଅଟକାଇଥିଲେ। ରୋହିତ ଏହି ଆବେଦନ ପ୍ରତ୍ୟାହାର କରିନେଲେ। ଏହା ପରେ ଶାନାକା ମଧ୍ୟ ତାଙ୍କ ଶତକ ପୂରଣ କରିଥିଲେ। ଏହା ତାଙ୍କର ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ। ମ୍ୟାଚ ପରେ ରୋହିତ ଶର୍ମାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଥିଲେ, ଶାମି ଏହା କରିଛନ୍ତି ବୋଲି ମୋର କୌଣସି ଧାରଣା ନ ଥିଲା। ଶାନାକା ୯୮ ରନରେ ବ୍ୟାଟିଂ କରୁଥିଲେ। ଆମେ ତାଙ୍କୁ ସେପରି ଆଉଟ୍‌ କରିବାକୁ ଚାହୁଁ ନ ଥିଲୁ। ସେ ଏକ ଚମତ୍କାର ଇନିଂସ ଖେଳିଥିଲେ। ରୋହିତଙ୍କ ଏହି ନିଷ୍ପତ୍ତିକୁ ଏବେ ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା କରାଯାଉଛି।

Share